spot_img

Latest Posts

ନିଆରା ପ୍ରେମ : କ୍ୟାନସର ପୀଡ଼ିତ ଯୁବକଙ୍କ ସହ ମହିଳା କିଡନୀ ରୋଗୀଙ୍କ ବିବାହ, ସର୍ତ୍ତ ଥିଲା ଏମିତି

ନନ୍ଦିଘୋଷ ବ୍ୟୁରୋ: ଯୁବତୀଙ୍କୁ କିଡନୀ ରୋଗ । ଡୋନର ନମିଳିବାରୁ ରଖିଲେ ଏମିତି ସର୍ତ୍ତ ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । କ୍ୟାନସର ପିଡ଼ୀତ ରୋଗୀଙ୍କୁ ସର୍ତ୍ତ ରଖି କଲେ ବିବାହ । ଆଉ ସର୍ତ୍ତ ଥିଲା, ଯୁବକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ତାଙ୍କର ସେବା କରିବେ । ଆଉ ବଦଳରେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କୁ ଯୁବତୀଙ୍କୁ ତାଙ୍କ କିଡନୀ ମିଳିବ । ହେଲେ ବିଧିର ବିଧାନ ଥିଲା ଅଲଗା । ସର୍ତ୍ତରୁ ଆରମ୍ଭ ହୋଇଥିବା ଏହି ବୈବାହିକ ଜୀବନ କେତେବେଳେ ଅତୁଟ ପ୍ରେମରେ ପରିଣତ ହୋଇଗଲା ତାହା ଉଭୟଙ୍କୁ ଜଣାପଡ଼ି ନଥିଲା ।
ଏକ ନିଆରା ପ୍ରେମ କାହାଣୀ
ଚୀନର ଏହି ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି । ସର୍ତ୍ତମୂଳକ ବିବାହ ପରେ ଉଭୟ ଏକାଠି ରହିବାକୁ ଲାଗିଥିଲେ । ଆଉ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାକୁ ଲାଗିଥିଲା । ସେତିକି ନୁହେଁ ଉଭୟ ପରସ୍ପରକୁ ଭଲପାଇ ବସିଥିଲେ । ନିକଟରେ କ୍ୟାନସରରୁ ବଞ୍ଚିଥିବା ପ୍ରେରଣାଦାୟୀ କାହାଣୀ ମଧ୍ୟରେ ୨୦୧୪ର ଏହି ଘଟଣା ଏବେ ଲୋକଙ୍କ ପ୍ରତି ଧ୍ୟାନ ଆକର୍ଷଣ କରୁଛି ।
କେମିତି ହେଲା ଭେଟ୍ ?
ମ୍ୟାଗେଜିନ ମ୍ୟାରେଜ ଆଣ୍ଡ ଫେମିଲି ଅନୁସାର ଶାଂକ୍ସି ପ୍ରାନ୍ତର ୨୪ ବର୍ଷିୟ ଓ୍ବଙ୍ଗ ଜିୟାଓଙ୍କୁ ୟୁରିମିୟା ରୋଗ ଥିଲା । ତାଙ୍କୁ କୁହାଯାଇଥିଲା କିଡନୀ ଟ୍ରାନ୍ସପ୍ଲାଣ୍ଟି ବିନା ତାଙ୍କ ପାଖରେ ମାତ୍ର ଏକବର୍ଷ ସମୟ ରହିଛି । ସମ୍ପର୍କୀୟଙ୍କ ପାଖରୁ ନିରାଶ ହେବା ପରେ ଓ୍ବାଙ୍ଗ ଏକ ନିଆରା ପଦକ୍ଷେପ ନେଇଥିଲେ । ଜଣଙ୍କ ପରାମର୍ଶ ଅନୁସାରେ, ଏକ କ୍ୟାନସର ସହାୟତା ଗ୍ରୁପରେ ଏକ ବିବାହ ବିଜ୍ଞାପନ ପୋଷ୍ଟ କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ, ମୁଁ ବିବାହ କରିବାକୁ ଏମିତି ଜଣେ ରୋଗୀ ଖୋଜୁଛି, ଯାହାଙ୍କ ରୋଗ ଭଲ ହେବାର ସମ୍ଭାବନା ନଥିବ । ତାଙ୍କର ମୃତ୍ୟୁ ପରେ ତାଙ୍କ କିଡ଼ନୀ ମୋତେ ମିଳିବ । ଏଥିରେ ସେ ଲେଖିଥିଲେ, ବିବାହ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଭଲରେ ସେବା କରିବି । ମୋତେ କ୍ଷମା କରିବେ । କାରଣ, ମୁଁ ବଞ୍ଚିବାକୁ ଚାହୁଁଛି ।
କିଛିଦିନ ପରେ ୨୭ ବର୍ଷିୟ ୟୁ ଜିୟାନପିଙ୍ଗ ନାମକ ଯୁବକ ଓ୍ବାଙ୍ଗଙ୍କ ବିଜ୍ଞାପନରେ ପ୍ରତିକ୍ରିୟା ଦେଇଥିଲେ । ତାଙ୍କର ବ୍ଲାଡ ଗ୍ରୁପ୍ ଓ୍ବାଙ୍ଗଙ୍କ ସହ ମେଳ ଖାଉଥିଲା । ବିଜନେସ ମ୍ୟାନେଜର ଥିବା ୟୁ କ୍ୟାନସର ପୀଡ଼ିତ ଥିଲେ । ଚିକିତ୍ସା ପାଇଁ ତାଙ୍କ ବାପା ଘର ପର୍ଯ୍ୟନ୍ତ ବିକ୍ରି କରିଦେଇଥିଲେ । ଔଷଧ ସାହାରାରେ ସେ ଜୀବିତ ଥିଲେ । ୨୦୧୩ରେ ଉଭୟ ଚୁପଚାପ ବିବାହ ପଞ୍ଜିକରଣ କରିଥିଲେ । ସେମାନେ ନିଜ ବିବାହକୁ ଗୁପ୍ତ ରଖିବା, ଆର୍ଥିକ ନେଣଦେଣକୁ ନିଜେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାସହ ସର୍ତ୍ତ ଅନୁସାରେ ୟୁଙ୍କ ମୃତ୍ୟୁ ପରେ ତାଙ୍କ କିଡ଼ନୀ ଓ୍ବାଙ୍ଗଙ୍କୁ ଦାନରେ ମିଳିବ ।
ଦେଖାରଖାରୁ ପ୍ରେମ
ସର୍ତ୍ତ ଅନୁସାରେ କିଡନୀ ବଦଳରେ ଓ୍ବାଙ୍ଗଙ୍କୁ ୟୁଙ୍କ ସେବା କରିବାର ଥିଲା । ଧୀରେ ଧୀରେ ଏହା ସେମାନଙ୍କୁ ପରସ୍ପର ପ୍ରତି ଆକୃଷ୍ଟ କରିଥିଲା । ଆଉ ଉଭୟ ପ୍ରେମରେ ପଡ଼ିଯାଇଥିଲେ । ଉଭୟ ପ୍ରତିଦିନ କଥା ହେବା ସହ ସ୍ବାସ୍ଥ୍ୟ ଓ ନିଜକୁ ନେଇ କଥା ହେବାକୁ ଲାଗିଲେ । ଓ୍ବାଙ୍ଗଙ୍କ ଚଞ୍ଚଳ ସ୍ବଭାବ ସବୁବେଳେ ୟୁଙ୍କୁ ହସାଉଥିଲା । ଓ୍ବାଙ୍ଗଙ୍କ ଆଶା ୟୁଙ୍କ ଉତ୍ସାହ ବଢ଼ାଇବାର କାମ କଲା । ଏପରିକି ଓ୍ବାଙ୍ଗଙ୍କ ମୁହଁରେ ହସ ଟିକିଏ ଦେଖିବାକୁ ସେ ତାଙ୍କ ପାଇଁ ସୁପ୍ ବନାଇବା ଆରମ୍ଭ କରି ଦେଇଥିଲେ । ଏମିତିକି ବିଭିନ୍ନ କାର୍ଯ୍ୟକ୍ରମକୁ ଉଭୟ ଏକାଠି ଯିବାକୁ ଲାଗିଥିଲେ ।
ୟୁଙ୍କ ବୋନମ୍ୟାରୋ ପାଇଁ ଓ୍ବାଙ୍ଗ ବିକି କରୁଥିଲେ ଫୁଲ
ୟୁଙ୍କ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଖର୍ଚ୍ଚରେ ସହାୟତା କରିବା ପାଇଁ ଓ୍ବାଙ୍ଗ ରାସ୍ତାରେ ଏକ ଷ୍ଟଲ ପକାଇ ଫୁଲତୋଡ଼ା ବିକ୍ରି କରିବା ଆରମ୍ଭ କରିଥିଲେ । ଫୁଲ ସହ ସେ କାର୍ଡ ବି ରଖିଥିଲେ । ଯେଉଁଥିରେ ଫୁଲର କାହାଣୀ ଲେଖା ରହୁଥିଲା । ଆଉ ଏହା ତାଙ୍କ ଦୋକାନ ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା ।
ଫୁଲ ବିକ୍ରି ଓ ନିଜେ ରଖିଥିବା କିଛି ଟଙ୍କାକୁ ମିଶାଇ ଓ୍ବାଙ୍ଗ ୫ ଲକ୍ଷ ୟୁଆନ (୭୦ ହଜାର ଡଲାର) ଯୋଗାଡ଼ କରିବାକୁ ସଫଳ ହୋଇଥିଲେ । ଯାହା ୟୁଙ୍କ ସର୍ଜରୀ ପାଇଁ ପର୍ଯ୍ୟାପ୍ତ ଥିଲା । ୨୦୨୪ ଜୁନ ପର୍ଯ୍ୟନ୍ତ ୟୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହୋଇଯାଇଥିଲା । ଏହାସହ ଓ୍ବାଙ୍ଗଙ୍କ ସ୍ବାସ୍ଥାବସ୍ଥାରେ ବି ସୁଧାର ଆସିଯାଇଥିଲା । ତାଙ୍କର ଡାଇଲେସିସି ସପ୍ତାହକୁ ଦୁଇଥରରୁ କମି ମାସକୁ ଥରେକୁ ଚାଲି ଆସିଥିଲା । ଏପରିକି ଡାକ୍ତର ବି କହି ସାରିଥିଲେ, ଏବେ ତାଙ୍କୁ ଆଉ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ନାହିଁ ।
ସ୍ବାସ୍ଥ୍ୟ ଜୀବନ ଜିଉଁଛନ୍ତି ଉଭୟ
୨୦୧୫ ଫେବୃଆରୀରେ ଉଭୟ ନିଜ ପ୍ରେମର ଓ ସୁସ୍ଥ ହେବା ଖୁସିରେ ଏକ ସ୍ଥାନୀୟ ରେଷ୍ଟୁରାଣ୍ଟରେ ବିବାହ ଭୋଜିର ଆୟୋଜନ କରିଥିଲେ । ସେମାନଙ୍କ କାହାଣୀ ପରେ ‘ବିବା ଲା ବିଡ଼ା’ ଫିଲ୍ମ ଆକାରରେ ପରଦାକୁ ଆସିଥିଲା । ଯାହାର ପ୍ରିମିୟର ୨୦୨୪ରେ ଚୀନରେ ହୋଇଥିଲା । ଏହି ଫିଲ୍ମ ୨୭୬ ମିଲିୟନ ୟୁଆନ (୩୮ ମିଲିୟନ ଆମେରିକୀୟ ଡଲାର)ରୁ ଅଧିକ ରୋଜଗାର କରିଥିଲା ।
ଆଜି ବି ଏହି ଦମ୍ପତି ସୁସ୍ଥ ଅଛନ୍ତି ଓ ଫୁଲ ଦୋକାନ କରି ନିଜ ପରିବାର ଚଲାଉଛନ୍ତି ।

Latest Posts

Don't Miss