ଭାରତରେ ଚୀନର ଗୁଇନ୍ଦାଗିରି, ଡିଜିଟାଲ ପ୍ଲାଟଫର୍ମରେ ରଚିଛି ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା ସମୟରେ ସ୍ଥିତି ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଅନେକ ଥର ଚେତାବନୀ ଦେବାପରେ ମଧ୍ୟ ଚୀନ ପଛଘୁଞ୍ଚା ଦେଉନାହିଁ । ଏହି ମଧ୍ୟରେ ଏକ ବଡ଼ କଥାର ଖୁଲାସା ହୋଇଛି । ଖବର ଅନୁସାରେ ଭାରତରେ ଚୀନ ଗୁଇନ୍ଦାଗିରି କରୁଛି । କିଛି କମ୍ପାନୀ ଦ୍ୱାରା ଚୀନ ଭାରତ ଉପରେ ନଜର ରଖୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ନେତା ଏଥିରେ ସାମିଲ ଅଛନ୍ତି ।


ଡିଜିଟାଲ ପ୍ଲାଟଫର୍ମରେ ଭାରତ ବିରୋଧରେ ଚୀନ୍ ଷଡ଼ଯନ୍ତ୍ର କରୁଛି । ଦେଶରେ ବଡ଼ ସାମ୍ବିଧାନିକ ପଦରେ ଥିବା ରାଜନେତା, ବରିଷ୍ଠ ସାମରିକ ଅଧିକାରୀଙ୍କ ସଂପର୍କରେ ଅନଲାଇନରେ   ଗୁଇନ୍ଦାଗିରି କରୁଛି ଚୀନ୍ । ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ ସେନା ଅଧିକାରୀଙ୍କ ଭଳି ୧୩ଶହରୁ ଅଧିକ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଗୁଇନ୍ଦାଗିରି କରିଥିବା ସୂଚନା ମିଳିଛି । ଚୀନ ସେନଝେନ୍ ଇନ୍ଫୋଟେକ୍ ଓ ଝେନହୁଆ ଇନଫୋଟେକ୍ କମ୍ପାନୀ ଗୁଇନ୍ଦାଗିରି କରୁଛି । ଚୀନର କମ୍ୟୁନିଷ୍ଟ ସରକାରଙ୍କ ପାଇଁ ସେନଝେନ୍ ଇନଫୋଟେକ୍ କମ୍ପାନୀ ଗୁଇନ୍ଦାଗିରି କରୁଛି । ଏହି ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ଧବ ଠାକରେ, ମମତା ବାନାର୍ଜୀଙ୍କ ସମେତ ୨୪ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିପରି ଉକ୍ତ ତାଲିକାରେ ୧୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି । ନରେନ୍ଦ୍ର ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସିଡିଏସ୍ ବିପିନ ରାଓ୍ୱତ, ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗୁଇନ୍ଦାଗିରି ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ୧୦ ହଜାର ଭାରତୀୟଙ୍କ ଉପରେ ଡ୍ରାଗନ୍ ନଜର ରଖିଥିବା ସୂଚନା ମିଳିଛି ।

Leave a Reply