ଚୀନ ସେନା ଲଦାଖର ୩ ସ୍ଥାନରେ ପଛକୁ ଫେରିଲା,ଆଲୋଚନା ପୂର୍ବରୁ ସକରାତ୍ମକ ସନ୍ଦେଶ

1 min read

ଲଦାଖ: ଚୀନ ସହ ଜାରି ଗତିରୋଧ ଭିତରେ ଗୋଟିଏ ଭଲ ଖବର ଆସିଛି । ଭାରତ ଓ ଚୀନ ସେନା ଲଦାଖର ୩ ସ୍ଥାନରେ ନିଜ ନିଜ ଅଂଚଳରେ ପଛକୁ ଫେରିଛନ୍ତି । ଚଳିତ ସପ୍ତାହର ଆଲୋଚନା ପୂର୍ବରୁ ଦୁଇ ଦେଶର ସେନା ପଛକୁ ଫେରିବା ପରେ ଆଲୋଚନା ସଫଳ ହେବା ନେଇ ଆଶା କରାଯାଉଛି ।

ଭାରତ ଓ ଚୀନ ସେନା ମଧ୍ୟରେ ଚଳିତ ସପ୍ତାହରେ ପେଟ୍ରୋଲିଂ ପଏଣ୍ଟ୍ ୧୪(ଗଲବାନ ଏରିଆ),ପେଟ୍ରୋଲିଂ ପଏଣ୍ଟ୍ ୧୫ ଓ ହଟ୍ ସ୍ପ୍ରିଙ୍ଗସ ଏରିଆ ସହ ଲଦାଖର ଅନେକ ସ୍ଥାନରେ ମିଟିଂ ହେବାର ଅଛି । ଚୀନ୍ ସେନା ଗଲବାନ ଭ୍ୟାଲି,ପେଟ୍ରୋଲିଂ ପଏଣ୍ଟ୍-୧୫ ଓ ହଟ୍ ସ୍ପ୍ରିଙ୍ଗ୍ସ ଏରିଆରୁ ୨ରୁ ୩ କିମି ପଠକୁ ହଟିଛି । ଜୁନ୍ ୬ ତାରିଖ ଦିନ ହୋଇଥିବା ଆଲୋଚନା ଯୋଗୁ ଚୀନ୍ ସେନା ପଛକୁ ଫେରିଥିବା କୁହାଯାଉଛି ।

ଚୀନ୍ ସେନା ଉକ୍ତ ଅଂଚଳରୁ ପଛକୁ ଫେରିବା ପରେ ଭାରତୀୟ ସେନା ମଧ୍ୟ ପଛକୁ ହଟିଛି । ଭାରତୀୟ ସେନା ନିଜର କିଛି ସୈନିକ ଓ ବାହାନକୁ ସେଠାରୁ ଫେରାଇ ଆଣିଛି । ସୂଚନା ଅନୁସାରେ ଉତ୍ତେଜନମୁଳକ ପରିସ୍ଥିତି ଭିତରେ ଦୁଇ ପକ୍ଷ ମଧ୍ୟରେ ବାଟାଲିୟନ କମାଣ୍ଡର ସ୍ତରରେ ଆଲୋଚନା ଚାଲିଛି । ଚୀନ ସହ ଆଲୋଚନା ପାଇଁ ଭାରତୀୟ ଦଳ ଆଗରୁ ଚୁସୁଲରେ ଉପସ୍ଥିତ ଅଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ, ଚୀନ ସେନା ଭାରତର ୫୦ରୁ ୬୦ କିମି ଅଂଚଳ ଉପରେ କବଜା କରିଥିବା ଦାବି ହେଉଛି । ଯଦି ଏହା ସତ ହୋଇଥାଏ ତେବେ  ଚୀନ ସେନାର ୨ରୁ ୩ କିମି ପଛକୁ ଫେରିବା ଶାନ୍ତିପୂର୍ବକ ମାମଲା ସମାଧାନର ସଂକେତ ହୋଇପାରେ ।

ଅନ୍ୟପକ୍ଷରେ ଚୀନ ଅତିକ୍ରମଣକୁ ନେଇ ଦେଶ ଭିତରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୟାନ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଆସିଥିଲା । ଯାହାର ଉତ୍ତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିଲେ । ରାଜନାଥଙ୍କୁ ଉତ୍ତର ଦେଇ ରାହୁଲ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । ଏବେ ରାହୁଲଙ୍କୁ ଉତ୍ତର ଦେଇ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଯେ, ରାହୁଲ ସେନାର ଶକ୍ତି ଉପରେ ସନ୍ଦେହ କରୁଛନ୍ତି ।

Leave a Reply