ଧରାପଡ଼ିଲା ଡ୍ରାଗନର ଷଡ଼ଯନ୍ତ୍ର, ଡୋକଲାମରେ ତିଆରି କଲା ଗ୍ରାମ ଓ ବାଇପାସ୍

ନୂଆଦିଲ୍ଲୀ: ପୁଣି ଚୀନର ଦାଦାଗିରି । ଡୋକଲାମ ନିକଟରେ ଚୀନ ନିର୍ମାଣ କରିଛି ଗ୍ରାମ । ୨୦୧୭ରେ ଭାରତ ଓ ଚୀନ ବାହିନୀ ମଧ୍ୟରେ ଘଟିଥିବା ସଂଘର୍ଷସ୍ଥଳୀ ନିକଟରେ ଚୀନ ନିର୍ମାଣ କାର୍ଯ୍ୟ କରିଛି । ଗ୍ରାମର ପ୍ରାୟ ପ୍ରତି ଘରେ କାର୍ ପାର୍କିଂ କରାଯାଇଥିବା ଦେଖାଯାଇଛି । ଏହି ଗ୍ରାମର ନାମ ପାଙ୍ଗଦା ରଖାଯାଇଥିବାବେଳେ ଭୁଟାନ ସୀମା ନିକଟରେ ଏହାର ଅବସ୍ଥିତି ରହିଛି । ସେଠାକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଆମୋ ଚୁ ନଦୀ ନିକଟରେ ତାହାର ସ୍ଥାପନା କରାଯାଇଛି । ଭୌଗୋଳିକ ଦୃଷ୍ଟିରୁ ଗ୍ରାମର ଉପସ୍ଥିତି ଚୀନ୍ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଭାରତର ସ୍ପର୍ଶକାତର ଅଞ୍ଚଳ କୁହାଯାଉଥିବା ସିଲଗୁଡ଼ି କରିଡର ପାଇଁ ବି ଏହା ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ଦେଶର ସମସ୍ତ ଉତ୍ତରପୂର୍ବ ରାଜ୍ୟ ସହ ସାରା ଦେଶର ସଂଯୋଗ ରକ୍ଷା କରିଥାଏ ସିଲିଗୁଡ଼ି କରିଡର । ଗତ ୨୦୧୭ରେ ଡୋକଲାମରେ ଚୀନର ନିର୍ମାଣ କାର୍ଯ୍ୟକୁ ଭାରତୀୟ ସେନା ବିରୋଧ କରିଥିଲେ । ଫଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଡୋକଲାମ ପ୍ଲାଟ୍ୟୁ ଓ ଝାମ୍ପେରି ଅଞ୍ଚଳରେ ଏହି ଗ୍ରାମ ପ୍ରତିଷ୍ଠା ଜରିଆରେ ଚୀନ ନିଜର ପ୍ରାଧାନ୍ୟ ବିସ୍ତାର କରିଛି । ସେପଟେ ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ଦ୍ୱିତୀୟ ଗ୍ରାମ ପ୍ରତିଷ୍ଠା କରିଥିବାବେଳେ ଦକ୍ଷିଣ ଡୋକଲାମରେ ତୃତୀୟ ଗ୍ରାମ ପ୍ରତିଷ୍ଠା କରିଛି ।