ଲପ୍ ନୁର୍ ଆକ୍ଟିଭ: ଚୀନ କରିବ ବି ପରମାଣୁ ପରୀକ୍ଷା, ସାଟେଲାଇଟ ଇମେଜ ବଢ଼ାଇଲା ଚିନ୍ତା

ବେଞ୍ଜିଂ: ପୁଣି ପରମାଣୁ ପରୀକ୍ଷା କରିବ କି ଚୀନ । ଉପଗ୍ରହରୁ ମିଳିଥିବା ସୂଚନା ଏମିତି କିଛି ଇସାରା କରୁଛି । ଶୀଘ୍ର ଚୀନ ଆଣବିକ ପରୀକ୍ଷା କରିପାରେ । ଏଥିପାଇଁ ଲପ ନୁର ନ୍ୟୁକ୍ଲିୟର ଟେଷ୍ଟ ଫାସିଲିଟିକୁ ପ୍ରସ୍ତୁତ କରୁଛି ଚୀନ । ଜିଞ୍ଜିଆନ ସ୍ବୟଂଶାସିତ ଅଞ୍ଚଳରେ ଏହି ପରୀକ୍ଷା ଲାଗି ଯୋଜନା ଚାଲିଥିବା ଉପଗ୍ରହରୁ ମିଳିଥିବା ତଥ୍ୟରୁ ସୂଚନା ମିଳିଛି । ରାସାୟନିକ ବିସ୍ଫୋରଣ ଜରିଆରେ ଆଣବିକ ପରୀକ୍ଷା କରିବା ଲାଗି ଚୀନ ପ୍ରସ୍ତୁତ ହେଉଥିବା କୁହାଯାଇଛି ।

ମାକ୍ସର ଇମେଜେରୀ ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଲପ ନୁର ପ୍ରକଳ୍ପରେ ବହୁ ଟନେଲ ଖୋଳାଯାଇଛି । ୧୯୬୪ ଅକ୍ଟୋବର ୧୬ରେ ପ୍ରଥମ ଥର ଲାଗି ଚୀନ ଲପ ନୁରରେ ଆଣବିକ ପରୀକ୍ଷା କରିଥିଲା । ବିଶ୍ବରେ ବର୍ତ୍ତମାନ ସୁପର ପାଓ୍ବାରଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଥିବାବେଳେ ଚୀନର ସମ୍ଭାବ୍ୟ ଆଣବିକ ପରୀକ୍ଷା ରାଜନୈତିକ ଓ କୂଟନୈତିକ ସଙ୍କଟ ସୃଷ୍ଟି କରିବା ଆଶଙ୍କା ରହିଛି । ବିଭିନ୍ନ ପ୍ରସଙ୍ଗରେ ଆମେରିକା ଓ ଚୀନ ମଧ୍ଯରେ ବିବାଦ ଜାରି ରହିଥିବାବେଳେ ଚୀନର ସମ୍ଭାବ୍ୟ ଆଣବିକ ପରୀକ୍ଷା ଆମେରିକାକୁ ଅଧିକ ଉତ୍ତ୍ୟକ୍ତ କରିପାରେ ।

୨୦୧୭ରେ ଲପ ନୁରରେ ସ୍ଥିତି ଯାହା ଥିଲା ତାହା ବର୍ତ୍ତମାନ ବଦଳିଯାଇଛି । ସେଠାରେ ନୂଆ ଭିତ୍ତି ପ୍ରସ୍ତୁତ ହେବା ସହ ଆଲୋକ ପ୍ରତିରୋଧକ, ସୁରକ୍ଷିତ ବଙ୍କର ଆଦି ନିର୍ମାଣ କରାଯାଇଛି । ସେଠାରେ ଏକ ନୂଆ ଏୟାର ବେସ ବି ନିର୍ମିତ ହେବା ସହ ୯୦ ଫୁଟର ଏକ ବୃହତ ଗର୍ତ୍ତ ଖୋଳାଯାଉଛି । ସମ୍ଭାବ୍ୟ ପରୀକ୍ଷା ଲାଗି ଏଥିରେ ଆଣବିକ ଅସ୍ତ୍ର ରଖାଯାଇ ବିସ୍ଫୋରଣ କରାଯାଇପାରେ । ଏପରିକି ଅନେକ ଦୂରରେ ସାଫ୍ଟ ଡ୍ରିଲରଙ୍କୁ ରଖାଯାଇ କାମ କରାଯାଉଛି । ଆସନ୍ତା ୨୦୨୮ ସୁଦ୍ଧା ୧ ହଜାର ବାଲିଷ୍ଟିକ ମିସାଇଲ ଗଚ୍ଛିତ ରଖିବାକୁ ଚୀନ ଯୋଜନା କରିଛି ।