spot_img

Latest Posts

ବିଶ୍ୱକୁ କରୋନା ଭାଇରସ୍‌ରୁ ମୁକ୍ତ କରିବା ପାଇଁ ଚୀନ୍‌ର ୨ଟି ବଡ଼ ନିଷ୍ପତ୍ତି

କରୋନା ଠାରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ଚୀନ୍ ଦୁଇଟି ପ୍ରମୁଖ ନିଷ୍ପତ୍ତି ଘୋଷଣା କରିଛି । ଏଏଫ୍‌ପି ରିପୋର୍ଟ ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସୋମବାର ଦିନ କହିଛନ୍ତି ଯେ ଚୀନ୍ ଦ୍ୱାରା ପ୍ରସ୍ତୁତ କରୋନା ଟୀକା ସମଗ୍ର ବିଶ୍ୱରେ ଉପଲବ୍ଧ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ସି ଜିନପିଙ୍ଗ ଏହା ମଧ୍ୟ କହିଛନ୍ତି ଯେ କରୋନା ଭାଇରସ୍‌ ବିରୋଧରେ ହେଉଥିବା ଲଢ଼େଇରେ ଚୀନ୍ ୨ ବିଲିୟନ ଡଲାର (ପ୍ରାୟ ୧୫୧୩୯ କୋଟି ଟଙ୍କା) ପ୍ରଦାନ କରିବ ।

ବିଶେଷକରି ବିକାଶଶୀଳ ଦେଶମାନଙ୍କରେ କରୋନା ବିରୋଧରେ ଲଢ଼ିବା ପାଇଁ ଏହି ଅର୍ଥ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦିଆଯିବ ।  ଚୀନ୍ ଏହାମଧ୍ୟ ଦାବି କରିଛି ଯେ କରୋନା ସଙ୍କଟକୁ ନେଇ ଏହାର ନୀତି ସର୍ବଦା ପାରଦର୍ଶୀ  ରହିଛି । ସି ଜିନପିଙ୍ଗ କହିଛନ୍ତି ଚୀନ୍ କରୋନା ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବା ମାତ୍ରେ ଏହା ସମଗ୍ର ବିଶ୍ୱ ପାଇଁ ଉପଲବ୍ଧ ହେବ।

ଆମେରିକା, ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ଦେଶ ଚୀନ୍ ଉପରେ କରୋନା ସମ୍ବନ୍ଧୀୟ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ଚୀନ୍‌ର ଏକ ଲ୍ୟାବରୁ କରୋନା ଲିକ୍‌ ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଗତ ସପ୍ତାହରେ ଆମେରିକା ଏବଂ ଚୀନ୍ ମଧ୍ୟରେ  ଏନେଇ ତିକ୍ତତା ବୃଦ୍ଧି ପାଇଛି । ସେପଟେ ଭିଡିଓ ଜରିଆରେ WHO ସମ୍ମିଳନୀରେ ଯୋଗ ଦେଇଥିବା ସି ଜିନପିଙ୍ଗ କହିଛନ୍ତି ଯେ କରୋନା ସଙ୍କଟ ସମାପ୍ତ ହେବା ପରେ ଏହି କରୋନା ଭାଇରସ କେଉଁଠୁ ଆସିଲା ସେନେଇ ତଦନ୍ତ ହେବା ଦରକାର ।

ୟୁରୋପୀୟ ୟୁନିଅନର ୨୭ ଜଣ ସଦସ୍ୟଙ୍କ ସମେତ ଦୁନିଆର ଅନେକ ଦେଶ କରୋନା ସମ୍ବନ୍ଧରେ WHO ର ପ୍ରାରମ୍ଭିକ ପ୍ରତିକ୍ରିୟାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Latest Posts

Don't Miss