HMPV ସଂକ୍ରମଣ ପ୍ରସଙ୍ଗ; ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଚୀନର ଖଣ୍ଡନ
1 min readନନ୍ଦିଘୋଷ ବ୍ୟୁରୋ: ହ୍ୟୁମାନ ମେଟାନ୍ୟମୋଭାଇରସ ବା HMPV ସଂକ୍ରମଣ ବୃଦ୍ଧି ଅଭିଯୋଗକୁ ଖଣ୍ଡନ କରିଛି ଚୀନ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ଋତୁକାଳୀନ ଅବସ୍ଥା ଏବଂ ଶୀତ ଋତୁରେ ଏହା ଘଟିଥାଏ। ଦେଶରେ ଥିବା ପର୍ଯ୍ୟଟକ ଓ ନାଗରିକମାନେ ସୁରକ୍ଷିତ ଅଛନ୍ତି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଶୀତ ଋତୁରେ ସାଧାରଣତଃ ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଚୀନ ନାଗରିକ ତଥା ବାହାର ଦେଶରୁ ଆସିଥିବା ଲୋକଙ୍କ ସ୍ୟାସ୍ଥ୍ୟ ସୁରକ୍ଷିତ ରହିଛି । ପ୍ରାୟ ଦୁଇ ଦଶନ୍ଧି ତଳେ ଏହି ଭାଇରସର ସନ୍ଧାନ ମିଳିଥିଲେ ବି ୨୪ ବର୍ଷ ପରେ ବି ଏହାର ଟିକା ବାହାର କରାଯାଇ ପାରିନାହିଁ । ୨୦୦୧ରେ ପ୍ରଥମ ଥର ଲାଗି ଡଚ ଗବେଷକମାନେ ଏହି ଭାଇରସକୁ ପିଲାମାନଙ୍କଠାରେ ଚିହ୍ନଟ କରିଥିଲେ । ସେରୋଲୋଜିକାଲ ତଥ୍ୟ ଅନୁସାରେ ଏହି ଭାଇରସ ପ୍ରାୟ ୬୦ ବର୍ଷ ଧରି ରହିଆସିଛି ଏବଂ ସାରା ପୃଥିବୀରେ ଏହା ସାଧାରଣ ଶ୍ବାସପ୍ରଶାସ ସହ ଜଡିତ ଭୂତାଣୁ ଭାବେ ରହିଛି । ଏହି ଭୂତାଣୁର ବିନାଶ ଲାଗି କୌଣସି ଔଷଧ ବାହାରିନାହିଁ ବୋଲି କହିଛନ୍ତି ଆମେରିକାର କ୍ଲିଭଲ୍ୟାଣ୍ଡ କ୍ଳିନିକ ।
ସେହିପରି ଏହି ଭୂତାଣୁ ଲାଗି କୌଣସି ଟିକା ସମ୍ପର୍କରେ ବି ସୂଚନା ଦେଇନାହିଁ ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର । ଯଦି କୌଣସି ବ୍ୟକ୍ତି ବା ଶିଶୁ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ପରାମର୍ଶ ଦିଆଯାଇଛି । ଫରିଦାବାଦର ଅମ୍ରିତା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଅର୍ଜୁନ ଖାନ୍ନା କହିଛନ୍ତି-HMPV ଏକ ସାଧାରଣ ଭୂତାଣୁ । ସେପଟେ କୋଭିଡ ପରି ଅବସ୍ଥା ସୃଷ୍ଟି ହେବାର ନାହିଁ ଏବଂ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କେନ୍ଦ୍ର ସରକାର ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭୂତାଣୁ ସାଧାରଣତଃ ଥଣ୍ଡା ରୋଗର କାରଣ । ବୟସ୍କ ଓ ଶିଶୁଙ୍କ କ୍ଷେତ୍ରରେ ଏହା ଅଧିକ ପରିଲକ୍ଷିତ ହେବ । ମୁକାବିଲା ଲାଗି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଅତୁଲ ଗୋଏଲ ।
ସେପଟେ ଚୀନରେ ଦେଖାଦେଇଥିବା ଅବସ୍ଥା ମାମୁଲି ବୋଲି କହିଛନ୍ତି ସରକାର । ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଆଇଡିଏସପି, ଆଇସିଏମଆର, ଦିଲ୍ଲୀ ଏମସ, ଇଏମଆର ବିଭାଗର ପ୍ରତିନିଧି । ସାମ୍ପ୍ରତିକ ସ୍ଥିତି ପ୍ରତି ସରକାର ତୀକ୍ଷ୍ଣ ଦୃଷ୍ଟି ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସେପରି କିଛି ସଂକ୍ରମଣ ବୃଦ୍ଧି ପାଇନାହିଁ ବୋଲି ବୈଠକରେ ପ୍ରତିନିଧିମାନେ ସୂଚନା ଦେଇଥିଲେ । ସମ୍ଭାବ୍ୟ ସମସ୍ୟାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ବୋଲି କୁହାଯାଇଛି ।