ଫେରୁଛି ଟିକଟକ୍! କେଉଁ ଭାରତୀୟ କମ୍ପାନୀ ଟେକ୍ ଓଭର ରେସରେ ଅଛି,ଜାଣନ୍ତୁ
ଟିକଟକ ଆପ୍ ଭାରତରେ ବ୍ୟାନ ହୋଇଯିବା ଘଟଣା ଅନେକ ବ୍ୟବହାରକାରୀଙ୍କୁ କଷ୍ଟ ଦେଇଛି । କେବଳଯେ ଏହା ଲୋକଙ୍କ ମନୋରଞ୍ଜନ କରୁଥିଲା ତାହା ନୁହେଁ ବରଂ ଅଧିକାଂଶଙ୍କ ପାଇଁ ଏହା ରୋଜଗାରର ଏକ ମାଧ୍ୟମ ଥିଲା । ଯଦି ପୁଣିଥରେ ଟିକଟକ ଫେରେ ତେବେ ଅଗଣିତ ଲୋକଙ୍କ ମୁହଁରେ ହସ ଫୁଟିଯିବ । ଏହା କହିବା ପଛର କାରଣ ହେଉଛି ଲୋକ କେଉଁଭଳି ପାଗଳ ଭାବରେ ଏହି ଆପକୁ ପସନ୍ଦ କରନ୍ତି ତାହା ଟିକଟକ ବ୍ୟାନ ହେବାପରେ ଜଣା ପଡ଼ିଥିଲା । ଖବର ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟିକଟକର ଭାରତୀୟ ବ୍ୟବସାୟକୁ କିଣି ପାରନ୍ତି । ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡ୍ୟାନ୍ସ ଏବଂ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ମଧ୍ୟରେ ଆଲୋଚନା ଜାରି ରହିଛି । ଅବଶ୍ୟ ଅନ୍ୟ କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହାକୁ କିଣିବା ପାଇଁ ଆଗକୁ ଆସି ନାହାଁନ୍ତି । ଏହାକୁ ନେଇ ରିଲାଏନ୍ସ ଏବଂ ଟିକଟକ ତରଫରୁ କୌଣସି ମତ ସାମ୍ନାକୁ ଆସିନାହିଁ ।
କହିରଖୁଛୁ ଗତ ଜୁଲାଇ ମାସରେ ଭାରତ ସରକାର ଟିକଟକ ସମେତ ୫୯ଟି ଆପକୁ ବ୍ୟାନ କରି ଦେଇଥିଲେ । ବ୍ୟାନ ସମୟରେ ଟିକଟକର ୩୦ ପ୍ରତିଶତ ବ୍ୟବହାରକାରୀ ଭାରତୀୟ ଥିଲେ । ଟିକଟକ ୧୦ ପ୍ରତିଶତ ରୋଜଗାର ଭାରତରୁ କରୁଥିଲା । ଅପ୍ରେଲ ୨୦୨୦ ପର୍ୟ୍ୟନ୍ତ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଏପ ଷ୍ଟୋରରୁ ଟିକଟକକୁ ୨ ଆରବ ଡାଉନଲୋଡ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୦.୩ ପ୍ରତିଶତ ବା ୬୧.୧ କୋଟି ଡାଉନଲୋଡ ଭାରତରେ ହୋଇଥିଲା ।
ମୋବାଇଲ ଇଣ୍ଟଲିଜେନ୍ସ ଫର୍ମ ସେନ୍ସର ଟାଓ୍ୱାର ଅନୁସାରେ ଟିକଟକ ଡାଉନଲୋଡ ଭାରତରେ ଚୀନ ଠାରୁ ଅଧିକ ହୋଇ ସାରିଛି । ଚୀନରେ ଟିକଟକ ଡାଉନଲୋଡ କେବଳ ୧୯.୬୬ କୋଟି । ଗତ ସପ୍ତାହରେ ଆମେରିକା ମଧ୍ୟ ଚୀନ ଏପ ଟିକଟକ ଉପରେ ବ୍ୟାନ ପାଇଁ ଅନୁମତି ଦେଇ ସାରିଛି । ଅବଶ୍ୟ ଆମେରିକା ବାଇଟଡ୍ୟାନ୍ସକୁ ଟିକଟକର ଆମେରିକା କାରବାର କୌଣସି ଆମେରିକା କମ୍ପାନୀକୁ ବିକ୍ରି କରିବା ପାଇଁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଛି । ଟିକଟକର ଆମେରିକା କାରବାର କିଣିବା ପାଇଁ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ରେସରେ ଅଛନ୍ତି ।