ଆମେରିକାକୁ ଦାୟୀ କଲା, ଋଷକୁ ସମର୍ଥନ କଲା ଚୀନ: ବେଲାଋଷରେ ଆଲୋଚନା ପାଇଁ ପ୍ରସ୍ତାବ

1 min read

କିବ୍: ଘଡ଼ିକେ ଛୁଟୁଛି ଘୋଡ଼ା । ବାହାରିପାରୁନି ସମାଧାନର ବାଟ । ସାରା ୟୁକ୍ରେନକୁ ଋଷ ସୈନ୍ୟ ଘେରାବନ୍ଦୀ କରିଥିବାବେଳେ ଟାର୍ଗେଟରେ ରାଜଧାନୀ କିବ୍ ଓ ଦ୍ୱିତୀୟ ବୃହତ୍ତମ ସହର ଖାର୍କିବ । କୌଣସି ମୁହୂର୍ତ୍ତରେ ଦୁଇ ସହରକୁ କବଜା କରିପାରନ୍ତି ଋଷ ସୈନ୍ୟ । ସେପଟେ ବେଲାଋଷରେ ଋଷ ସହ ଆଲୋଚନା କରିବା ଲାଗି ୟୁକ୍ରେନ ସମ୍ମତ ଥିବା ସୂଚନା ମିଳିଛି । ତେଣେ ଋଷକୁ ଉତ୍ତରକୋରିଆ ସମର୍ଥନ କରିଥିବାବେଳେ ନିଜର ନମ୍ବର ଓ୍ୱାନ୍ ଟ୍ରେଡିଂ ପାର୍ଟନର ଋଷ ଲାଗି ହାତ ବଢାଉଛି ଚୀନ ।

ଋଷ କବଳରେ ୟୁକ୍ରେନ । ଚାରିପଟେ ସମରସଜ୍ଜା । କ୍ୟାପିଟାଲ କିବ୍ ସମେତ ଅନ୍ୟାନ୍ୟ ସହରରେ ମିସାଇଲ ଷ୍ଟ୍ରାଇକ । ଦ୍ୱିତୀୟ ବୃହତ୍ତମ ସହର ଖାର୍କିବରେ ଘମାଘୋଟ ଲଢେଇ । ସାରା ୟୁକ୍ରେନ ଭିତରେ ଠୁଳ ଋଷର ପ୍ରାୟ ୫୦ ପ୍ରତିଶତ ସୈନ୍ୟ । ବାଦ ପଡୁନି ଆବାସିକ କୋଠା, ଡାକ୍ତରଖାନା ଓ ଆମ୍ବୁଲାନ୍ସ । ଓଖିତିର୍କା ସହରରେ ଋଷର ଗୋଳାମାଡରେ ପ୍ରାଣ ହରାଇଛନ୍ତି ଜଣେ ଶିଶୁ ସମେତ ୬ଜଣ । ତେବେ ଚେର୍ଣ୍ଣୋବିଲ ଆଣବିକ କାରଖାନାର ନିରାପତ୍ତା ନେଇ ମିଳିତ ପଦକ୍ଷେପ ନେଇଛନ୍ତି ଋଷ ଓ ୟୁକ୍ରେନ । ୟୁକ୍ରେନକୁ ୩୫୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ର ଯୋଗାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିବାବେଳେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ କରିଛନ୍ତି ଘୋଷଣା ।

ତେଣେ ମଇଦାନକୁ ଆସିଛି ଉତ୍ତରକୋରିଆ । ଶାସକ କିମ୍ ଜଙ୍ଗ ଉନ୍ ଯୁଦ୍ଧ ଲାଗି ଆମେରିକାକୁ ଦାୟୀ କରିଥିବାବେଳେ ଋଷକୁ କରିଛନ୍ତି ସମର୍ଥନ । କହିଛନ୍ତି- ଶାନ୍ତି ଓ ସ୍ଥିରତା ନାମରେ ଆମେରିକା ବିଶ୍ୱରେ ସବୁଠାରୁ ଅଧିକ ଅସ୍ଥିରତା ସୃଷ୍ଟି କରୁଛି । ଯୁଦ୍ଧ ଟେନସନ ଭିତରେ ଉତ୍ତରକୋରିଆ ପରୀକ୍ଷା କରିଛି ଅତି ଦୂରଗାମୀ କ୍ଷେପଣାସ୍ତ୍ର । ଏହାକୁ ମିଶାଇ ଚଳିତ ବର୍ଷ ୮ଟି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତରକୋରିଆ । ଅନ୍ୟତମ ସୁପରପାଓ୍ୱାର ଚୀନ ମଧ୍ୟ ଆମେରିକାକୁ ଦୋଷ ଦେଇଛି । ୟୁକ୍ରେନ ପ୍ରସଙ୍ଗରେ ଋଷ ଓ ଚୀନ ମଧ୍ୟରେ ସମ୍ପର୍କ ହେଉଛି ନିକଟତର । ଚୀନର ନମ୍ବର ଓ୍ୱାନ୍ ଟ୍ରେଡିଂ ପାର୍ଟନର ଭାବେ ଦୀର୍ଘ ଦଶନ୍ଧି ଧରି ରହିଆସିଛି ଋଷ । ଦିନକୁ ଦିନ ଜଟିଳ ହେଉଛି ଯୁଦ୍ଧସ୍ଥିତି । ବଦଳିବାରେ ଲାଗିଛି ବିଶ୍ୱର ସମୀକରଣ । ଗ୍ରେଟର ଋଷ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟ ଉପରେ ରୋକ୍ ଲାଗି ନାଟୋ ହୋଇଛି ଅକ୍ଷମ ।

Leave a Reply