ଲଦାଖ ପରେ ଅରୁଣାଚଳ ଉପରେ ଡ୍ରାଗନ ନଜର, ସୀମାରେ ବଢାଇଲା ସାମରିକ ଗତିବିଧି

1 min read

ଇଟାନଗର: ଲଦାଖର ରେଜାଙ୍ଗ ଲାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ବିଫଳ ହେବା  ପରେ ଚୀନ୍ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ଉପରେ ନଜର ପକାଇଛି । ଅରୁଣାଚଳ ପ୍ରଦେଶ ଉପରେ ନିଜ ଦାବୀ ରଖୁଥିବା ଚୀନ୍ ବର୍ତ୍ତମାନ  ବାସ୍ତବିକ ନିୟନ୍ତ୍ରଣରେଖା ବା (LAC) ନିକଟରେ ନିଜର ସାମରିକ ଘାଟି ନିର୍ମାଣ କରୁଛି । ଏହଭିତରେ ଚୀନ୍ ସୀମାରେ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି । ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଆସଫିଲା, ଟୁଟିଂ, ଚାଙ୍ଗ ଜେ ଏବଂ ଫିସଟେଲ-୨ର ଅପରପାର୍ଶ୍ୱରେ ଥିବା ଚୀନ୍ ଅଞ୍ଚଳରେ ପିଏଲଏର ଗତିବିଧି ବୃଦ୍ଧି ପାଇଥିବା  ପରିଲକ୍ଷିତ ହୋଇଛି । ଏହି ଅଞ୍ଚଳଗୁଡ଼ିକ ଭାରତ ସୀମାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି ।

ଚୀନ୍ ସେନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଯୋଜନା କରୁଥିବା ଭାରତୀୟ ସେନା ଆଶଙ୍କା କରୁଛି । ଚୀନ୍ ଏକ ଶାନ୍ତ ଏବଂ ନିର୍ଜନ ସ୍ଥାନ ଦଖଲ କରିବାକୁ ଚେଷ୍ଟା କରୁଛି । ଚୀନ୍ ସୈନିକମାନଙ୍କ ଦ୍ୱାରା ଅନୁପ୍ରବେଶ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସତର୍କ ରହିଛି ଏବଂ ଏଠାରେ ସୈନିକଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ପେଟ୍ରୋଲିଂ ବେଳେ ଭାରତୀୟ ଅଞ୍ଚଳ ନିକଟକୁ ଆସୁଛନ୍ତି ଚୀନ ସୈନିକ

ଗତ କିଛି ଦିନ ହେବ  ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଠାରୁ କିଛି କିଲୋମିଟର ଦୂରତାରେ ଥିବା ଅଞ୍ଚଳରେ ନିର୍ମିତ ରାସ୍ତାରେ ଚୀନ ସୈନିକଙ୍କ  ଗତିବିଧି ବଢିଥିବା ଲକ୍ଷ୍ୟ କରାଯାଇଛି । ପାଟ୍ରୋଲିଂ ସମୟରେ ଚୀନ୍ ସୈନିକମାନେ ମଧ୍ୟ ଭାରତୀୟ ଅଞ୍ଚଳକୁ ମଧ୍ୟ ପଶି ଆସୁଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ ଅରୁଣାଚଳର LAC ଉପରେ ଚୀନ୍ ସୈନ୍ୟଙ୍କ ସକ୍ରିୟତାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏଠାରେ ଅଧିକ ସୈନିକ ମୁତୟନ କରିଛି । ଏହିପରି କୌଣସି ପ୍ରୟାସର ଜବାବ ଦେବାକୁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

 ଅରୁଣାଚଳ ପ୍ରଦେଶର ୫ ଜଣଙ୍କ ଅପହରଣ କରିଥିଲା ପିଏଲଏ

ଏହାପୂର୍ବରୁ ସେପ୍ଟେମ୍ବର ୨ରେ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଥିଲେ ଯେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ପାଞ୍ଚ ଜଣଙ୍କୁ ଅପହରଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ପାଞ୍ଚ ଜଣ ଲୋକ ମାଛ ଧରିବା ପାଇଁ ଏଲଏସି ପାଖକୁ ଯାଇଥିଲେ ।  କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କେନ୍ଦ୍ର ସମ୍ମୁଖରେ ଏହି ମାମଲାକୁ ଗୁରୁତର ସହ ନେଇଥିଲେ। ତେବେ ଚୀନ୍ ସୀମାକୁ ଯାଇଥିବା ପାଞ୍ଚ ଜଣ ଭାରତୀୟ ନାଗରିକ ବର୍ତ୍ତମାନ ନିଜ ଦେଶକୁ ଫେରିଛନ୍ତି । ଚୀନ୍ ସୈନିକମାନେ ଏହି ପାଞ୍ଚ ଜଣ ସାଧାରଣ ନାଗରିକଙ୍କୁ ଅରୁଣାଚଳ ପ୍ରଦେଶର କିବିଟୁ ଠାରେ ଭାରତୀୟ ସୈନିକମାନଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୭ ପରେ, ଗତ ୬ ମାସ ମଧ୍ୟରେ ପୁଣି ଥରେ ଡୋକଲାମରେ ଭାରତ ଏବଂ ଚୀନ୍ ବାହିନୀ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ସୈନ୍ୟବାହିନୀ ଏଠାରେ ଭୁଟାନର ସୀମାରେ ଥିବା ଜାମଫିରି ରିଜ୍ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରୁଛି । ଚୀନ୍‌ର ଏହି ଉଦ୍ୟମ ସିଲିଗୁଡୀ କରିଡର ପାଇଁ ବିପଦ ସୃଷ୍ଟି କରୁଛି।

୨୯-୩୦ ଅଗଷ୍ଟ ରାତିରେ ଚୀନ୍ ସୈନ୍ୟମାନେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ମୁଖପାରୀ ହିଲ୍ ଏବଂ ରେଜାଙ୍ଗ ଲାକୁ କାବୁ କରିବାକୁ ଚେଷ୍ଟା କରିଥିଲା, ଯାହା ଭାରତୀୟ ସୈନ୍ୟବାହିନୀ ଦ୍ୱାରା ବାଧାପ୍ରାପ୍ତ ହୋଇଥିଲା। ସେବେଠାରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ହେଉଛନ୍ତି ଏବଂ ଉତ୍ତେଜନା ବୃଦ୍ଧି ପାଉଛି । ଏହାପୂର୍ବରୁ ସେପ୍ଟେମ୍ବର ୧ ରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା।

Leave a Reply