ତାଇଓ୍ବାନ ବିରୋଧରେ ଚୀନର ମେଗା ମିଲିଟାରୀ ଡ୍ରିଲ, ଆଜିଠୁ ଆସନ୍ତା ୧୦ ତାରିଖ ଯାଏ ଚାଲିବ ଅଭିଯାନ

1 min read

ବେଜିଂ: ତାଇଓ୍ବାନ ବିରୋଧରେ ଚୀନର ମେଗା ମିଲିଟାରୀ ଡ୍ରିଲ୍ । ଆଜିଠାରୁ ଆସନ୍ତା ୧୦ ତାରିଖ ଯାଏ ଚାଲିବାକୁ ଥିବା ଡ୍ରିଲକୁ ନେଇ ବଢ଼ିଛି ଚୀନ-ତାଇଓ୍ବାନ ଟେନସନ୍ । ୟୁନାଇଟେଡ ସାର୍ପ ସୋର୍ଡ ନାମରେ ନାମିତ ଏହି ମିଲିଟାରି ଏକ୍ସରସାଇଜ ହେବା ନେଇ ପିପୁଲ୍ସ ଲିବରେସନ ଆର୍ମିର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଘୋଷଣା କରିଛି । ସେପଟେ ତାଇଓ୍ବାନ ଅଭିଯୋଗ କରିଛି ଆଜି ଦେଶର ସୀମା ଭିତରୁ ୧୩ଟି ଚୀନ ବିମାନ ପ୍ରବେଶ କରିବା ସହ ଦେଶ ଚାରିପଟେ ଚୀନ ୩ଟି ଯୁଦ୍ଧଜାହାଜ ମୁତୟନ କରିଛି । ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ ଆମେରିକା ଗସ୍ତ ସାରି ଫେରିବା ପରେ ପରେ ଚୀନ ଏହି ଡ୍ରିଲ୍ ନେଇ ଘୋଷଣା କରିଛି । ତାଇଓ୍ବାନ ଷ୍ଟ୍ରେଟ ଓ ଉତ୍ତର, ଦକ୍ଷିଣ, ପୂର୍ବ ତାଇଓ୍ବାନରେ ଏହି ଲଢୁଆ ଅପରେସନ କରାଯିବ ।

ଆମେରିକା ଗସ୍ତକାଳରେ ବାଚସ୍ପତି କେଭିନ ମ୍ୟାକାର୍ଥିଙ୍କୁ ସାକ୍ଷାତ କରିଥିବାରୁ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲା ଚୀନ । ଚୀନର ବିରୋଧ ସତ୍ତ୍ବେ ଗତବର୍ଷ ଅଗଷ୍ଟରେ ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ତାଇପେଇ ଗସ୍ତ ପରଠାରୁ ବାରମ୍ବାର ତାଇଓ୍ବାନକୁ ଟାର୍ଗେଟ କରିଆସିଛି ଚୀନ । ବିଭିନ୍ନ ସମୟରେ ତାଇଓ୍ବାନର ଆକାଶ ସୀମାରେ ଚୀନର ଯୁଦ୍ଧବିମାନ ପ୍ରବେଶ କରିଥିବା ନେଇ ତାଇଓ୍ବାନ ଅଭିଯୋଗ କରିଆସିଛି । ତାଇଓ୍ବାନ ରାଷ୍ଟ୍ରପତି ସାଇଙ୍କ ଗସ୍ତକୁ ନେଇ ବାଇଡେନ ପ୍ରଶାସନ କହିଥିଲା- ଏହି ଗସ୍ତ ଦ୍ବିପାକ୍ଷିକ ସମ୍ପର୍କର ପ୍ରତୀକ । ଗସ୍ତବେଳେ ଉଭୟ ତାଇଓ୍ବାନ ଓ ଆମେରିକାର ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା ଏବଂ ତାଇଓ୍ବାନର ସାର୍ବଭୌମତ୍ବର ସୁରକ୍ଷା ନେଇ ଆମେରିକା ସମର୍ଥନ ଦେଇଥିଲା ।