ଚିଲିକାର ନୀଳ ଜଳରାଶିରେ ଘୋଷଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ବଡ଼ଦାଣ୍ଡ ପାଲଟିଲା ଚିଲିକାର ନୀଳ ଜଳରାଶି। ଚିଲିକାର ନୀଳ ଜଳରାଶିରେ ଘୋଷଯାତ୍ରା । ଡଙ୍ଗାରେ ବସି ନୌ ବିହାର କଲେ ଚତୁର୍ଦ୍ଧା ବିଗ୍ରହ । ସାରା ବିଶ୍ବ ଦେଖିଲା ଖୋର୍ଦ୍ଧ ଜିଲ୍ଲା ଚିଲିକା ନଇରି ଗାଁ ନିକଟ ଚିଲିକା ହ୍ରଦ ନିକଟରେ ଥିବା ଏହି ନିଆରା ରଥଯାତ୍ରା । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଝାଞ୍ଜରେ କମ୍ପିଲା ଚିଲିକା ପାଦଦେଶ । ଆଗରେ ନୃତ୍ଯରତା କୁନି ନୃତ୍ୟଶିଳ୍ପୀ, ପଛକୁ ସଂକୀର୍ତ୍ତନ ମଣ୍ଡଳୀ, ଶେଷରେ ୩ ସେବାୟତଙ୍କ ହାତରେ ପହଣ୍ଡି ହୋଇ ଆସିଲେ ତିନି ଠାକୁର । ଡଙ୍ଗାରେ ବିଜେ ହେବା ପରେ ଆରମ୍ଭ ହୋଇଥିଲା ଯାତ୍ରା ।
ପୁରୀରେ ବଡ଼ଦାଣ୍ଡରେ ରଥରେ ବସି ଠାକୁର ନବଦିନାତ୍ମକ ଯାତ୍ରାରେ ଯାଉଥିବେଳେ କାଙ୍କଣ ଶିଖରୀରେ ଚିଲିକାରେ ପାଳିତ ଘୋଷଯାତ୍ରା । ଚିଲିକା ହ୍ରଦର ଅଥଳ ଜଳରାଶିରେ ନୌକା ରଥରେ ଯାତ୍ରା କରନ୍ତି ମହାପ୍ରଭୁ । ତିନି ଠାକୁର ନୌ ବିହାର କରି ପୁଣି ମନ୍ଦିରକୁ ଫେରି ଆସନ୍ତି । ସୁଚନା ମୁତାବକ, ମୋଗଲ ସମ୍ରାଟ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ ସେତେବେଳେ ଦଇତାପତିମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ସେଠାରେ ଗୋଟିଏ ରାତି ରହିବା ପରେ ନଇରୀ ନିକଟ ଏହି କୁଦରେ ଆଣି ରଖିଥିଲେ । ସେଠାରେ ଭୋଗ ଲାଗି ପାଇଁ କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ନଥିଲା । ମହାପ୍ରଭୁଙ୍କୁ କାଙ୍କଡ଼ ଭୋଗ ଲାଗି ହେଉଥିବାରୁ ଏହି ସ୍ଥାନ କାଙ୍କଣ ଶିଖରୀ ଭାବେ ପ୍ରଶିଦ୍ଧି ଲାଭ କରିଛି । ଜଣେ ସ୍ଥାନୀୟ ଭକ୍ତଙ୍କୁ ସ୍ବପ୍ନାଦେଶ ପରେ ଜଗନ୍ନାଥଙ୍କ ନିଟକରୁ ଏକ ରଥ ଚକ ଆଣି ଏଠାରେ ପୂଜାର୍ଚ୍ଚନା କରାଯାଉଛି । ଏଠାରେ ମଧ୍ୟ ପୁରୀ ଭଳି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ହୋଇଥାଏ । ଚଳିତବର୍ଷ ରଥଯାତ୍ରା ପାଇଁ ଏଠାରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା ।
ସାରା ବିଶ୍ବରେ କାଙ୍କଣ ଶିଖରୀର ଏହି ଘୋଷଯାତ୍ରା ବେଶ ନିଆରା । ଏହାକୁ ଦେଖିବାକୁ ଡଙ୍ଗାରେ ବିଭିନ୍ନ ଗାଁରୁ ଆସିଥାନ୍ତି ଶହଶହ ଶ୍ରଦ୍ଧାଳୁ ।