ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ପୁଣି ଖାରଜ

ଚିଲିକା: ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ଗତ ୨୮ ତାରିଖରେ ବିଧାୟକଙ୍କ ଓକିଲ ପକ୍ଷରୁ ବାଣପୁର ସହକାରୀ ଦୌରା ଜଜ୍‌ଙ୍କ ନିକଟରେ  ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ଶେଷରେ ସହକାରୀ ଦୌରା ଜଜ୍ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ବର୍ତ୍ତମାନ ବିଧାୟକଙ୍କ ଓକିଲ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟ ଯିବେ ବୋଲି ଜଣାପଡ଼ିଛି ।

ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚିତ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଛନ୍ତି  । ପୂର୍ବରୁ ଗତ ୨୨ ତାରିଖରେ ଜେଏମଏଫସି କୋର୍ଟରେ ମଧ୍ୟ ଜାମିନ ଆବେଦନ କରାଯାଇଥିବା ବେଳେ ତାହା ମଧ୍ୟ ଖାରଜ ହୋଇଥିଲା । ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି  ।

ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୨ ତାରିଖରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାରେ ବିଧାୟକଙ୍କୁ ଗିରଫ କରିଥିଲା ବାଣପୁର ପୋଲିସ । ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ବାଣପୁର କୋର୍ଟରେ ହାଜର କରିଥିଲା ପୋଲିସ । ଏଥିପାଇଁ ଖୋର୍ଦ୍ଧା ଏସଡିଜେଏମ କୋର୍ଟ ଅନୁମତି ମଧ୍ୟ ନେଇଥିଲା ବାଣପୁର ପୋଲିସ ।

ତେବେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନବେଳେ ଗାଡ଼ି ଚଢ଼ାଇବା ପରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଆହତ ମଧ୍ୟ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭିଡ଼ ଭିତରେ କାର୍ ଚଢ଼ାଇ ଲୋକଙ୍କୁ ମାରି ଦେବାକୁ ଉଦ୍ୟମ କରିଥିଲେ ବିଧାୟକ । ଏହା ପୋଲିସ୍ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ବିଧାୟକଙ୍କ ଗାଡ଼ି ଧକ୍କାରେ ୯ ପୋଲିସ କର୍ମଚାରୀ ଓ ଅନ୍ୟ ୧୫ ଜଣ ଆହତ ହୋଇଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଇପିସି ଧାରା ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬, ୩୦୭ ଲାଗିଛି ।

ଏଥିସହୖିତ ପଢ଼ନ୍ତୁ: ଏମ୍‌ପିଭି ବିଦ୍ୟାଳୟରେ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ