ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କଲା ବାଣପୁର ପୋଲିସ

ଖୋର୍ଦ୍ଧା: ବନ୍ଧାହେଲେ ବିଧାୟକ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଲୋକଙ୍କୁ ଗାଡ଼ି ଚଢ଼ାଇବା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ବାଣପୁର ପୋଲିସ । ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ବାଣପୁର କୋର୍ଟରେ ହାଜର କରିବ ପୋଲିସ । ଏଥିପାଇଁ ଖୋର୍ଦ୍ଧା ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି ।

ଆଜି ହି ପ୍ରଶାନ୍ତଙ୍କୁ ଜେଏମଏଫସି ବାଣପୁର କୋର୍ଟରେ ହାଜର କରାଯିବ । ତଳ କୋର୍ଟରେ ହାଜର ପରେ ତାଙ୍କୁ ଜାମିନ ମିଳିବନି ବୋଲି କହିଛନ୍ତି ଓକିଲ । ତାଙ୍କ ବିରୋଧରେ ସଂଗୀନ ଦଫା ଲାଗିଥିବାରୁ ତଳ କୋର୍ଟ ମାମଲାକୁ ଉପରକୁ ପଠାଇଦେବେ ବୋଲି ଓକିଲ କହିଛନ୍ତି । ଜାମିନ ନାମଂଜୁର ହେଲେ ପ୍ରଶାନ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯିବ ବୋଲି କହିଛନ୍ତି ଓକିଲ ।

ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନବେଳେ ଗାଡ଼ି ଚଢ଼ାଇବା ପରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଆହତ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭିଡ଼ ଭିତରେ କାର୍ ଚଢ଼ାଇ ଲୋକଙ୍କୁ ମାରି ଦେବାକୁ ଉଦ୍ୟମ କରିଥିଲେ ବିଧାୟକ । ଏହା ପୋଲିସ୍ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ବିଧାୟକଙ୍କ ଗାଡ଼ି ଧକ୍କାରେ ୯ ପୋଲିସ କର୍ମଚାରୀ ଓ ଅନ୍ୟ ୧୫ ଜଣ ଆହତ ହୋଇଥିଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଇପିସି ଧାରା ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬, ୩୦୭ ଲାଗିଛି ।