ଚିଲିକା ଡଙ୍ଗା ବୁଡ଼ି ଘଟଣା, ଏବେ ବି ଜଣେ ନିଖୋଜ

ଟାଙ୍ଗୀ: କାଳିଜାଇରେ କଳା ଗୁରୁବାର। କାଳ ହୋଇ ଛକିଥିଲା କାଳବୈଶାଖୀ । ଦର୍ଶନସାରି ଫେରିବା ବେଳେ ବୁଡ଼ିଗଲା ଡଙ୍ଗା । ମୃତ୍ୟୁକୁ ମାତ ଦେଇ ଅଳ୍ପକେ ବଞ୍ଚିଗଲେ ୧୧ ଯାତ୍ରୀ । ହେଲେ ଏବେ ବି ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଉଛନ୍ତି ବାଲୁଗାଁ ଥାନା କୋଦପୁର ଗାଁର ରାଜକିଶୋର ଖୁଣ୍ଟିଆ । ସେ ମା’ କାଳିଜାଇଙ୍କ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ଗତକାଲି ମଧ୍ୟ ଫେରୁଥିଲେ । ଅଧାବାଟରେ ଅଘଟଣ ଘଟି ଏଯାଏ ନିଖୋଜ ଅଛନ୍ତି । ବିଳମ୍ବିତ ରାତି ଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆଜି ସକାଳୁ ପୁଣି ଖୋଜାଖୋଜି କାର୍ଯ୍ୟ ଜାରି ରହିଛି । ଗତକାଲି ୧୨ଜଣ ଯାତ୍ରୀଙ୍କୁ ନେଇ କାଳିଜାଇରୁ ଫେରୁଥିଲା ଡଙ୍ଗା । ୮ଜଣ ପର୍ଯ୍ୟଟକଙ୍କ ସମେତ ତିନି ଜଣ ନୌକା ଚାଳକ ଓ ଦୋକାନୀ ରାଜକିଶୋର ଡଙ୍ଗାରେ ଫେରୁଥିଲେ ।  ପର୍ଯ୍ୟଟକମାନେ ସମସ୍ତେ ବାଲେଶ୍ୱରର । କାଳବୈଶାଖୀ ଝଡ଼ରେ ଅଧାବାଟରେ ଅଘଟଣ ଘଟି ଡଙ୍ଗା ବୁଡ଼ି ଯାଇଥିଲା । ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ସେପଟେ ଡଙ୍ଗା ବୁଝିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ଏହି ଘଟଣାର ତଦନ୍ତ କରିବା ନେଇ ଦାୟିତ୍ୱ ଦିଆଯାଇଛି।