ରାଜ୍ୟ ସରକାରଙ୍କ ମେଗା ଡ୍ରାଇଭ୍, ଅଧାରୁ ପାଠ ଛାଡ଼ିଥିବା ପିଲା ଫେରିବେ ସ୍କୁଲ

ଭୁବନେଶ୍ୱର: ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ୍ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ମେଗା ଡ୍ରାଇଭ୍ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । କରୋନା ଯୋଗୁଁ ଗଲା ଦୁଇବର୍ଷ ହେଲା ପାଠପଢ଼ାରେ ବ୍ୟାଘାତ ଘଟିଥିଲା । ଏବେ ଧିରେ ଧିରେ ପରିସ୍ଥିତିରେ ସୁଧାର ଆସିଛି । ସ୍କୁଲ ପୁଣିଥରେ ଖୋଲିବା ପରେ ଗ୍ରୀଷ୍ଣପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଚାଲିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି ।

ପାଠ ପଢ଼ିବାକୁ ଦୈନିକ ସ୍କୁଲକୁ କେତେ ପିଲା ଆସୁଛନ୍ତି, ଉପସ୍ଥାନ ତଥ୍ୟକୁ ଟ୍ରାକ କରାଯାଉଛି । ରିପୋର୍ଟ ଅନୁସାରେ ୭୦ ପ୍ରତିଶତରୁ ଅଧିକ ପିଲା ନିୟମିତ ସ୍କୁଲ୍ ଆସୁଛନ୍ତି । ତେବେ ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଉପସ୍ଥାନ ରାଜ୍ୟର ଉପସ୍ଥାନ ହାର ତୁଳନାରେ କମ୍ ରହିଛି । ଆଉ କିଛି ଜିଲ୍ଲାରେ ପଞ୍ଚମରୁ ଅଷ୍ଟମ ଶ୍ରେଣୀରେ ଉପସ୍ଥାନ ମଧ୍ୟ କମ୍ ରହୁଛି । ଏଭଳି ଚିତ୍ରକୁ ଦେଖି ଜଣା ପଡୁଛି ଯେ ଯେଉଁମାନେ ଅଫଲାଇନ୍ କ୍ଳାସରେ ଯୋଗ ଦେଉନାହାଁନ୍ତି, ସେମାନେ ଅଧାରୁ ପାଠ ଛାଡି ଦେଇଛନ୍ତି । ଆଉ କିଛି ପିଲା ନିଜ ଅଭିଭାବକଙ୍କ ସହ ଅନ୍ୟସ୍ଥାନକୁ ଚାଲି ଯାଇଛନ୍ତି । ଏପରିକି କିଛି ସ୍କୁଲରେ ଅଷ୍ଟମ ପାଶ୍ କରିଥିବା ପିଲା ନବମରେ ଆଉ ନାଁ ଲେଖାଇ ନାହାଁନ୍ତି । ଏସବୁକୁ ଦୃଷ୍ଟିରେ ରଖି ପିଲାଙ୍କୁ ପୁଣି ସ୍କୁଲ୍ ଫେରାଇ ଆଣିବାକୁ ଜିଲ୍ଲସ୍ତରରୁ ଉଦ୍ୟମ ଆରମ୍ଭ କରିଥିବାକୁ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପିଲା କାହିଁକି ସ୍କୁଲ୍ ଆସୁନାହାଁନ୍ତି ତା’ର କାରଣ ଜାଣିବାକୁ ସ୍କୁଲସ୍ତରରୁ ମାଇକ୍ରୋ ଲେବେଲ୍ ସର୍ଭେ କରିବାକୁ କୁହାଯାଇଛି । କନିଷ୍ଠ ଶିକ୍ଷକମାନେ ଘର ଘର ବୁଲି ଅଭିଭାବକଙ୍କୁ ବୁଝାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମାଗଣା ବହି, ୟୁନିଫର୍ମ ଓ ମଧ୍ୟାହ୍ନ ଭୋଜନ ବାବଦରେ ବୁଝାଇବାକୁ କୁହାଯାଇଛି । ପଞ୍ଚାୟତ ପ୍ରତିନିଧିଙ୍କ ସାହାଯ୍ୟ ନେଇ ପରିବାର ସଦସ୍ୟଙ୍କୁ ଉତ୍ସାହିତ କରିବାକୁ ମଧ୍ୟ କୁହାଯାଇଛି ।