spot_img

Latest Posts

ଘର ବାରଣ୍ଡାରେ ଚାଲିଛି ପାଠ ପଢ଼ା: କୋମଳ ମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ

ପିିପିଲି: ଘର ବାରଣ୍ଡାରେ ଚାଲିଛି ପାଠ ପଢ଼ା। କୋମଳ ମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ। ପିପିଲି ବ୍ଲକରେ ଦିଗହରା ହୋଇଛି ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା। ବ୍ଲକରେ ମୋଟ ୨୬୧ଟି ଅଙ୍ଗନୱାଡି କେନ୍ଦ୍ର ଥିବା ବେଳେ ୭୫ଟି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ଫଳରେ ଖରା ବର୍ଷା ଓ ଶୀତ କାକରରେ ବାହାରେ ପାଠ ପଢୁଛନ୍ତି ପିଲା। ଶିଶୁଙ୍କ ସୁରକ୍ଷାକୁ ନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି । ଘଟଣା ସମ୍ପର୍କରେ CDPO ମୁଁହ ଖୋଲୁନାହାନ୍ତି । ପିପିଲିରୁ ଦେଖିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏହି ନଗ୍ନ ଚିତ୍ର ।

ଘର ବାରଣ୍ଡାରେ ଚିଲିଛି କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ା । ଖୋଲା ମେଲାରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା । ଏହି ଦୃଶ୍ୟକୁ ଦେଖିଲେ ଲାଗୁଛି ପିପିଲି ବ୍ଲକରେ ଦିଗହରା ହୋଇଛି ପ୍ରାଥମିକ ଶିକ୍ଷାବ୍ୟବସ୍ଥା । ସ୍ଥାୟୀ ଗୃହ ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଙ୍ଗନବାଡି କର୍ମୀ । ବର୍ଷ ବର୍ଷ ଧରି ଲାଗି ରହିଛି ଏହିଭଳି ସମସ୍ୟା। ପିପିଲିର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ସବୁଠି ଦେଖିବାକୁ ମିଳିଛି ସମାନ ଦୃଶ୍ୟ। ନାଁ ଅଛି ସ୍ଥାୟୀ ରୋଷେଇ ଘର ନାଁ ପିଲାଙ୍କ ପାଇଁ ଅଛି ଶୌଚାଳୟ। ଏହିଭଳି ଅସ୍ୱାସ୍ଥ୍ୟକର ପରିବେଶରେ ପିଲାଙ୍କୁ ପାଠ ପଢ଼ିବା ପାଇଁ ଛାଡ଼ିବାକୁ ନାରାଜ ହେଉଛନ୍ତି ଅଭିଭାବକ। ସୁପରଭାଇଜର ମାନେ ଅଙ୍ଗନବାଡି କେନ୍ଦ୍ରକୁ ସଠିକ ପରିଦର୍ଶନ କରୁନଥିବାରୁ ଖାଦ୍ୟର ମାନ ଓ ସ୍ଵାସ୍ଥ୍ୟ ପରୀକ୍ଷା ମଧ୍ୟ ଠିକ୍ ଭାବେ ହେଉନଥିବା ଅଭିଯୋଗ ହେଉଛି।

ପିପିଲି ବ୍ଲକରେ ଥିବା ୨୬୧ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୭୫ଟି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ପିପିଲି ସହରାଞ୍ଚଳରେ ୩୦ କେନ୍ଦ୍ର ମଧ୍ୟରୁ ୧୫ କେନ୍ଦ୍ରର ନିଜସ୍ଵ ଗୃହ ନାହିଁ। ଘର ପାଇଁ ପୂର୍ବ ସରକାରରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହୋଇଥିଲା । କେଉଁଠି ଘର ଭୂମିରୁ ସାମାନ୍ୟ ଉଠିଛି ତ ଆଉ କେଉଁଠି ନିର୍ମାଣାଧୀନ ଅବସ୍ଥାରେ ଛାତ ପଡ଼ି ଭୂତ କୋଠି ପାଲଟିଲାଣି। ଅନେକ ଗୁଡ଼ିଏ ଘର ଅଧାପନ୍ତରିଆ ଅବସ୍ଥାରେ ମଧ୍ୟ ପଡ଼ିରହିଛି। ସେପଟେ କିଛି କେନ୍ଦ୍ରରେ ସହାୟିକା ନଥିବାରୁ ଅଙ୍ଗନବାଡି ଦିଦି ପାଠ ପଢ଼ାଇବା ସହିତ ସହାୟିକା କାର୍ଯ୍ୟ ମଧ୍ୟ ତୁଲାଉଛନ୍ତି । ସମସ୍ୟା ସମ୍ପର୍କରେ ମୁଁହ ଖୋଲିବାକୁ ସିଡିପିଓ ମନା କରି ଦେଇଥିବା ବେଳେ ଗୃହ ନିର୍ମାଣ ଦାୟିତ୍ୱ ପିପିଲି ବ୍ଲକ ପ୍ରଶାସନ ନେଇଥିବା ବେଳେ ଜାଗା ସମସ୍ୟା ପାଇଁ ନୂତନ ଅଙ୍ଗନବାଡି ଘର ନିର୍ମାଣ ହୋଇପାରୁନଥିବା ବିଡିଓ କହିଛନ୍ତି। କେବଳ ପିପିଲି ଅଞ୍ଚଳ ନୁହେଁ, ଓଡ଼ିଶାର ଅନେକ ଗାଁରେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନାହିଁ । ଏହାକୁ ଦେଖିଲେ ଲାଗୁଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରତି ସରକାର ଯେପରି ଅଣଦେଖା କରିଚାଲିଛନ୍ତି ।

Latest Posts

Don't Miss