ଲୁଚକାଳି ଖେଳ ହେଲା କାଳ,ଆଇସକ୍ରିମ୍ ବକ୍ସରେ ଲୁଚି ଦୁଇ ଶିଶୁ ମୃତ

ବାଙ୍ଗାଲୁରୁ: କର୍ଣ୍ଣାଟକରେ ହୋଇଥିବା ଏକ ଦୁର୍ଘଟଣାରେ ଦୁଇ ପିଲାଙ୍କ ଜୀବନ ଯାଇଛି । ଲୁଚକାଳି ଖେଳୁ ଖେଳୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁସାରେ ମଇଶୁରରେ ନଞ୍ଜନଗୁଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । କାବ୍ୟା ନାୟକ ଏବଂ ଭାଗ୍ୟା ନାୟକ ନାମକ ଦୁଇ ପିଲା ଚିରଦିନ ଆଖି ବୁଜିଛନ୍ତି । ଜଣକ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।  ଘଟଣା ବୁଧବାର ସକାଳ ସମୟର ।

ଖବର ଅନୁସାରେ ଦୁଇ ପିଲା ପଡ଼ୋଶୀ ସାଙ୍ଗ ମାନଙ୍କ ସହ ଲୁଚକାଳି ଖେଳୁଥିଲେ । ଘର ନିକଟରେ ଏକ ଆଇସକ୍ରିମ୍‌ ଠେଲା ଗାଡ଼ି ଛିଡ଼ା ହୋଇଥାଏ । ଯାହା ପ୍ରାୟ ୬ ମାସ ଧରି ଅକାମି ହୋଇ ପଡ଼ିଛି । ଲୁଚିବା ପାଇଁ ଦୁଇ ପିଲା ଆଇସକ୍ରିମ୍‌ ଠେଲା ଗାଡ଼ି ମଧ୍ୟରେ ପଶିଗଲେ । ଉଭୟଙ୍କୁ ଏହା ମଧ୍ୟରେ ପ୍ରବେଶ କରିବାବେଳେ ଅନ୍ୟ କୌଣସି ପିଲା ମଧ୍ୟ ଦେଖିନଥିଲେ ।  ଶେଷରେ ସେହି ବକ୍ସ ହିଁ ସେମାନଙ୍କ ମୃତ୍ୟୁର କାଳ ସାଜିଲା ।

ପୋଲିସର କହିବା ହେଉଛି, ଆଇସକ୍ରିମ ବକ୍ସରେ ହୁଏତ ପୂର୍ବରୁ ବିଷାକ୍ତ ଗ୍ୟାସ୍‌ ଥାଇପାରେ । ଏହା ମଧ୍ୟ ହୋଇପାରେଯେ, ଅଧିକ ପବନ ହେତୁ ଠେଲାର ଦ୍ୱାର ବନ୍ଦ ହୋଇ ଯାଇଥିବ । ଯେଉଁଥିପାଇଁ ପିଲାମାନେ ବାହାରକୁ ଆସିପାରିନଥିବେ ।