ଶିଶୁ ଅଦଳବଦଳ ଅଭିଯୋଗ: ମାଟି ତଳୁ ମୃତଦେହ ବାହାର କରି କରାଯିବ ଡିଏନ୍ଏ ଟେଷ୍ଟ

ନବରଙ୍ଗପୁର (ଅଜିତ ନାୟକ): ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ । ଜଣେ ଡାକ୍ତର ରିପୋର୍ଟରେ ଶିଶୁ ମାତୃଗର୍ଭରେ ସୁରକ୍ଷିତ ରହିଥିବା କହୁଥିବାବେଳେ ଅନ୍ୟ ଜଣେ ଡାକ୍ତର ଅପରେସନ୍‌ର ୧୨ ଦିନ ପୂର୍ବରୁ ଶିଶୁ ମାତୃଗର୍ଭରେ  ମୃତ୍ୟୁବରଣ କରିଥିବା ପ୍ରକାଶ କରିଛନ୍ତି । ରିପୋର୍ଟକୁ ନେଇ ପରିବାରର ସନ୍ଦେହ ମୃତଶିଶୁର ଡିଏନଏ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି ପରିବାର ।

ନବରଙ୍ଗପୁର ଜିଲ୍ଲା ଝରିଗାଁର ସୀମାଞ୍ଚଳ ସାହୁ ଶିଶୁ ଅଦଳବଦଳ ଅଭିଯୋଗ କରିଛନ୍ତି ।  ତାଙ୍କ କହିବା କଥା ହେଲା  ପଡ଼ୋଶୀ ଛତିଶଗଡ଼ର ଜଗଦଲପୁର ଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ସେଇଠି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାତୃଗର୍ଭରେ  ଶିଶୁ ସୁସ୍ଥ ରହିଛି  ଓ ତା’ ଓଜନ ୨ କିଲୋଗ୍ରାମ ରହିଥିବା ସୂଚନା ଦେଇଥିଲେ ।

ଏହାପରେ ସେ  ଗତ ୨୪ ତାରିଖ ଦିନ ପତ୍ନୀଙ୍କୁ ନେଇ ଉମରକୋଟ ମେଡ଼ିକାଲର ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଗର୍ଭସ୍ଥ  ଶିଶୁ ସୁସ୍ଥ ଥିବା ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ ।  ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଗତ ୨୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର  ଡାକ୍ତର ତାଙ୍କର ଅଲ୍ଟ୍ରାସାଉଣ୍ଡ କରିବା ପାଇଁ କହିଥିଲେ ।

ସେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ  ଡାକ୍ତରଖାନାକୁ ଯିବା ସମୟରେ  ଡାକ୍ତର ଉପସ୍ଥିତ ନ ଥିଲେ ।  ତେଣୁ ସେ ବାଧ୍ୟ ହୋଇ ଫେରି ଆସିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ସ୍ଵାକ୍ଷର ନେଇ  ସେଦିନ ସନ୍ଧ୍ୟାରେ ଅସ୍ତ୍ରୋପଚାର କରିଥିଲେ ଏବଂ ଅସ୍ତ୍ରୋପଚାର ପରେ ତାଙ୍କର ଏକ ମୃତ ଶିଶୁ ଜନ୍ମ ହୋଇଥିବା ପ୍ରକାଶ କରିଥିଲେ ।

ଏହି ଶିଶୁ ମାତୃଗର୍ଭ ରେ ହିଁ ଗତ ୧୨ ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବା କହିଥିଲେ ଡାକ୍ତର । ଏଭଳି କି ମୃତଶିଶୁ ମାତୃଗର୍ଭରେ ରହିପାରିବ ବୋଲି  ଯୁକ୍ତି ବାଢ଼ିଥିଲେ ଡାକ୍ତର । ଯାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୀମାଞ୍ଚଳ । ମୃତ ଶିଶୁର ଓଜନ ପ୍ରାୟ ୧.୯ କିଲୋଗ୍ରାମ ରହିଥିବା କୁହାଯାଇଥିଲା । ମୃତଶିଶୁକୁ ହସ୍ତାନ୍ତର ପରେ ପୋତି ଦିଆଯାଇଥିଲା ।

ତେବେ ସେହି ସମୟରେ ସୀମାଞ୍ଚଳ ମୁହଁ ଖୋଲିବାକୁ ସକ୍ଷମ ନଥିଲେ କାରଣ ତାଙ୍କ ପତ୍ନୀ ମେଡିକାଲରେ ରହି ଚିକିତ୍ସିତ ହେଉଥିବାରୁ ଆକ୍ରୋଶର ଶିକାର ହେବାର ଭୟ ରହିଥିଲା । ତେଣୁ ପତ୍ନୀ ମେଡିକାଲରୁ ଡିସଚାର୍ଜ ହେବାପରେ ଅଭିଯୋଗ କରିଥିବା କହିଛନ୍ତି ସୀମାଞ୍ଚଳ । ଏଥିସହ ମେଡିକାଲର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପୋତା ଯାଇଥିବା ଶିଶୁକୁ ବାହାର କରି ତାହାର ଡିଏନଏ ଟେଷ୍ଟ କରିବାପାଇଁ ଦାବି କରିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ଘଟଣା ବାବଦରେ ଅବଗତ ହେବାପରେ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରି ଘଟଣାର ଯାଞ୍ଚ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ପୋତାଯାଇଥିବା ମୃତଶିଶୁକୁ ମାଟି ତଳରୁ ବାହାର କରି ତାର ଡିଏନଏ ଟେଷ୍ଟ କରାଯିବ ବୋଲି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

Leave a Reply