କଟକ ଏସସିବିରେ ଶିଶୁ ଚୋରି ଘଟଣାର ନୂଆମୋଡ଼, ୮ ଦିନ ଧରି ଚାଲିଥିଲା ପିଲା ଚୋରି ପାଇଁ ପ୍ଲାନିଂ

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼ । ପୁରା ଯୋଜନାବଦ୍ଧ ଭାବେ ହୋଇଥିଲା ପିଲା ଚୋରି । ୮ ଦିନ ଧରି ଚାଲିଥିଲା ପିଲା ଚୋରି ପାଇଁ ପ୍ଲାନିଂ । ରୀତିମତ ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଆସୁଥିଲେ ମହିଳା । ମଉକା ଦେଖି ଶିଶୁକନ୍ୟାକୁ ଉଠାଇ ନେଇଥିଲେ ପ୍ରତାପନଗରୀ ଅଞ୍ଚଳର ସୁଇଟି ରାଉତ ନାମକ ଜଣେ ମହିଳା । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ଶିଶୁଟିକୁ ହସ୍ତାନ୍ତର କରିବା ସହ ରଚିଛନ୍ତି ଶିଶୁ ଅଦଳବଦଳ ନାଟକ ।

ସମ୍ପୃକ୍ତ ମହିଳା ଓ ତାଙ୍କ ସମ୍ପର୍କୀୟଙ୍କୁ ପୋଲିସ ଅଧିକ ପଚରାଉଚରା କରିବାରୁ ତାଙ୍କର ପୁତ୍ର ସନ୍ତାନ ହୋଇଥିଲା, ଭୁଲରେ କନ୍ୟା ସନ୍ତାନ୍ତ ନେଇଯାଇଥିବା କହିଥିଲେ । ହେଲେ ସେ ନା ଏସସିବିରେ ଆଡମିଟ୍ ହୋଇଥିଲେ, ନା ପୁତ୍ର ସନ୍ତାନ ପ୍ରସବ କରିଛନ୍ତି । ସେମିତି କୌଣସି ରେକର୍ଡ ବି ନାହିଁ ବୋଲି ଏସସିବି ପକ୍ଷରୁ ସୂଚନା ମିଳିଛି । ଏପରିକି ସମ୍ପୃକ୍ତ ମହିଳା ଜଣକ ପୋଲିସକୁ ଦେଇଥିବା ଡିସଚାର୍ଜ କାଗଜ ଜାଲି ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ପ୍ରଶାସନିକ ଅଧିକାରୀ କହିଛନ୍ତି । ଘଟଣାରେ କେବଳ ଦମ୍ପତ ନୁହଁନ୍ତ, ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରହିଛି । ଦମ୍ପତିଙ୍କୁ ମଙ୍ଗଳାବାଗ ପୋଲିସ ଅଟକ ରଖିଛି ।