୨୦ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ୨୦ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ମାମୁ ଓ ଅଜା ବିକ୍ରି କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁପୁତ୍ରର ଜେଜେବାପା । କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗାଁର କାହ୍ନୁ ଚରଣ ସାମଲଙ୍କ ଝିଅ ରୁବିନାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ରୁବିନା ୬ ମାସ ହେବ ପୁଅକୁ ଧରି ଅନ୍ୟତ୍ର ଚାଲିଯାଇଥିଲେ । ଶିଶୁପୁତ୍ରଟି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁର ଅନନ୍ତ ସାମଲଙ୍କ ଘରେ ଥିବା ସୂଚନା ପାଇ ପରିବାର ଲୋକ ସେଠାରେ ପହଞ୍ଚିଥିଲେ । ଶିଶୁପୁତ୍ରକୁ ସାଥିରେ ନେବା ପାଇଁ କହିବାରୁ ଅନନ୍ତଙ୍କ ପରିବାର ଲୋକ ୨୦ ହଜାର ଟଙ୍କା ଦାବି କରିଥିଲେ । ଶିଶୁପୁତ୍ରକୁ ତାହାର ମାମୁ ଓ ଅଜା ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଶିଶୁର ପରିବାର ଲୋକ । ଏନେଇ ସାଲେପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।