ଫସର ଫାଟିଲା ନାବାଳିକାଙ୍କ ବିବାହ: ଶିଶୁପାଳ ହୋଇ କାନ୍ଦି କାନ୍ଦି ଘରକୁ ଫେରିଲେ ଦୁଇ ବର

1 min read

ନୟାଗଡ଼: ନାବାଳିକାଙ୍କ ବାହାଘର ବେଳେ ହାଇଡ୍ରାମା । ସାଦା ପୋଷାକରେ ପହଞ୍ଚି ଗଲେ ପୋଲିସ ଓ ଚାଇଲ୍ଡ ଲାଇନ ସଦସ୍ୟ । ଫସର ଫାଟିଲା ନାବାଳିକା ବିବାହ ଯୋଜନା । କାନ୍ଦି କାନ୍ଦି ଶିଶୁପାଳ ହେଇ ଘରକୁ ଫେରିଲେ ଦୁଇ ବର । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବଧିସାହି ଶିବ ମନ୍ଦିରରେ ଏବଂ ଗୋଡ଼ିପଡ଼ା ହଟକେଶ୍ୱର ମନ୍ଦିରରେ ।

ଦୁଇଟି ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ବସିଥିଲେ ଦୁଇ ନାବାଳିକା । ସମସ୍ତଙ୍କ ମୁହଁରେ ହସ । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀ ଓ ହୁଳହୁଳିରେ କମ୍ପୁଥିଲା ମନ୍ଦିର ପରିସର । ହୋମ ନିଆଁକୁ ସାକ୍ଷୀ ରଖି ହାତକୁ ହାତ ମିଳାଇ ବେଦୀରେ ବସିଥିଲେ ବର କନ୍ୟା l ହେଲେ କନିଆ ମୁଥାରେ ସିନ୍ଦୁର ଲାଗିବା ବେଳକୁ ପଛରୁ ଶୁଭିଲା ‘ବାହାଘର ବନ୍ଦ କର’ । ଏହା ଶୁଣି ସବୁ ହତବାକ । ବୁଝ ବୁଝ, ମନ୍ଦିରରେ ପହଞ୍ଚି ସାରିଥିଲେ ପୋଲିସ ବାବୁ ଓ ଚାଇଲ୍ଡ ଲାଇନ ସଦସ୍ୟ । ବାହାଘର ବନ୍ଦ କରିବା ପରେ ଦୁଇ ନାବାଳିକାଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି । ପରେ ଦୁଇ ବର ଶିଶୁପାଳ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପକ୍ଷରେ ନାବାଳିକାଙ୍କୁ ଉଦ୍ଧାର ବେଳେ ମନ୍ଦିରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ପରିବାର ଲୋକେ ପୋଲିସ ଓ ଚାଇଲ୍ଡ ଲାଇନ୍ ସହ ଯୁକ୍ତିତର୍କ କରିଥିଲେ ।

ବଧିସାହି ଶିବ ମନ୍ଦିରରେ ଗନ୍ଧବାରଣ ଗାଁର ଜଣେ ୨୫ ବର୍ଷୀୟ ଯୁବକ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ସହ ବିବାହ କରୁଥିଲେ l ସେହିପରି ବଡ଼ପୁଟ ଗାଁର ୨୬ ବର୍ଷୀୟ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ବିବାହ କରୁଥିଲେ l ଖବର ପାଇଁ ନୟାଗଡ଼ ଚାଇଲ୍ଡ ଲାଇନ ଶରଣକୁଳ ପୋଲିସ ସହାୟତାରେ ବେଦୀବେଦୀରୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବାହାଘର ବନ୍ଦ କରିଥିଲା । ନାବାଳିକା ଦ୍ବୟଙ୍କୁ ନୟାଗଡ଼ ଶିଶୁ ମଙ୍ଗଳ ସମିତିରେ ହାଜର ପରେ ତପସ୍ୟା ଶିଶୁ ଗୃହରେ ରଖାଯାଇଛି l

ତେବେ ବାଲ୍ୟ ବିବାହ ନୟାଗଡ଼ ଅଞ୍ଚଳରେ କିଛି ନୁଆକଥା ନୁହେଁ । କେବଳ ଫଷବୃଆରୀ ମାସରେ ଚାଇଲ୍ଡ ଲାଇନ୍ ଏହି ଜିଲ୍ଲାରେ ପ୍ରାୟ ୧୫ଟି ବାଲ୍ୟ ବିବାହ ବନ୍ଦ କରିଛି । ଏହାପରେ ବି ଲୁଚାଛପାରେ ବହୁ ନାବାଳିକାଙ୍କୁ ବିବାହ କରାଇ ଦିଆଯାଉଥିବା ଅଭିଯୋଗ ହେଉଛି ।