ନାଁରେ କଣ ଅଛି ? ବହୁତ କିଛି.. ଦୁଇ ମା’ଙ୍କର ସମାନ ନାମ ପାଇଁ ବାରିପଦାରେ ଶିଶୁ ଅଦଳବଦଳ

ବାରିପଦା: ଦୁଇଟି ମାଆଙ୍କର ଗୋଟିଏ ନାଁ । ନାଁ ପାଇଁ ଡାକ୍ତରଖାନାରେ ବାଉଳା ହେଲେ କର୍ମଚାରୀ । ଏକ ପ୍ରକାର ନାଁ ପାଇଁ ବଦଳି ହୋଇଗଲା ଅମୂଲ୍ୟ ସମ୍ପଦ । ଯାହାଫଳରେ ଶିଶୁ ଅଦଳବଦଳ ନେଇ ମେଡିକାଲରେ ହୋଇଛି ଉତ୍ତେଜନା । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ରେ ଉତ୍ତେଜନା । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଗତ ଏପ୍ରିଲ୍‌ ୨୬ ତାରିଖରେ ରଇବାରୀ ସିଂ ନାମରେ ଦୁଇ ଜଣ ମହିଳାଙ୍କ ଶିଶୁ ଜନ୍ମ ହୋଇଥିଲା ।

ଦୁଇ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ମେଡିକାଲ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା । ହେଲେ ଦୁଇଜଣ ରଇବାରୀଙ୍କ ମଧ୍ୟରୁ ଜଣେ ଡିସଚାର୍ଜ ବେଳେ ଶିଶୁ ଅଦଳବଦଳ ହୋଇଥିଲା । ଏକା ନାଁ ହୋଇଥିବାରୁ ରଇବାରୀଙ୍କ ଶିଶୁକୁ ଡିସଚାର୍ଜ ହୋଇଥିବାବେଳେ ଶିଶୁ ବଦଳ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଏସ୍‌ଏନ୍‌ସିୟୂରେ ଥିବା ଅନ୍ୟ ଜଣେ ଶିଶୁର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଏନେଇ ଶିଶୁ ମାନଙ୍କ ଟିକେଟ୍‌ ଚେକିଂ ବେଳେ ବାପାଙ୍କ ନାଁରୁ ଶିଶୁ ଅଦଳ ବଦଳ ହୋଇଥିବା ଜଣା ପଡ଼ିଥିଲା ।

ଫଳରେ ମେଡିକାଲ କର୍ତ୍ତୃପକ୍ଷ ଡିସଚାର୍ଜ ହୋଇଥିବା ରଇବାରୀ ସିଂଙ୍କୁ ଡାକି ଶିଶୁ ଅନ୍ୟ ରଇବାରୀଙ୍କୁ ଦେବାକୁ କୁହାଯାଇଥିଲା । ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଡିଏନ୍‌ଏ ଟେଷ୍ଟ ପରେ ପକୃତ ଶିଶୁ କାହାର ଜଣାପଡିବ ବୋଲି ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Leave a Reply