spot_img

Latest Posts

ଶୀତ ଅଧିବେଶ ପୂର୍ବରୁ ଛାୟା ବିଧାନସଭା: ପିଲାଙ୍କ ବିଧାନସଭା ପରିଚାଳନା ଦେଖି ଅଭିଭୂତ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ପାରିତ ହୋଇଛି ଶିଶୁ ଶ୍ରମ ନିରୋଧ ଆଇନ୍-୨୦୨୧ । ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ଆଗତ କରିଥିବା ବିଲ୍‌ଟି ବହୁ ମତରେ ପାରିତ ହୋଇଛି । ବିଲ୍ ପାରିତ ସମୟରେ ଶାସକଦଳ ଟେବୁଲ ବାଡ଼େଇ ସ୍ୱାଗତ କରିଛନ୍ତି । ଏଥିସହିତ ପ୍ରଶ୍ନୋତ୍ତର, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ଉପରେ ବି ଆଲୋଚନା ହୋଇଛି । ରାଜ୍ୟପାଳ ଗୃହରେ ତାଙ୍କର ଅଭିଭାଷଣ ରଖିଥିବା ବେଳେ ୨୦୨୧-୨୨ ବଜେଟ ବି ଗୃହରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ଗୃହରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇଛନ୍ତି ।

ତେବେ ଏହି ସବୁ ଦୃଶ୍ୟ ରାଜ୍ୟ ବିଧାନସଭା ନୁହେଁ ବରଂ ଛାୟା ବିଧାନସଭାରେ ଦେଖିବାକୁ ମିଳିଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫର ମିଳିତ ପ୍ରୟାସରେ ଆୟୋଜିତ ଏହି ଛାୟା ଅଧିବେଶନ ଅସଲ ବିଧାନସଭାର ଭ୍ରମ ସୃଷ୍ଟି କରିଥିଲା ।  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ପୁରାତନ ସୌଧରେ ଆୟୋଜିତ ଏହି ଛାୟା ବିଧାନସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ୍ କାନୁନ୍‌ଗୋ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ୟୁନିସେଫର ଶିଶୁ ସୁରକ୍ଷା ଅଧିକାରୀ ନେହା ନାଇଡୁ, ଆକ୍ସନ ଏଡ୍‌ର ଘାଷିରାମ ପଣ୍ଡା ।

ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ, ସ୍ୱର୍ଣ୍ଣପଦକପ୍ରାପ୍ତ ଭାରୋତ୍ତଳନକାରୀ କେ. ରବିକୁମାର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିଶୁମାନେ ଉପସ୍ଥିତ ଥିଲେ । ସୋମବାର ଅନୁଷ୍ଠିତ ଏହି ଛାୟା ବିଧାନସଭାରେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରିତ ହୋଇଥିଲା । ପରେ ପରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଆୟୋଜିତ ହୋଇଥିବା ବେଳେ ୨୦୨୧-୨୨ ବର୍ଷ ପାଇଁ ବଜେଟ ଆଗତ ହୋଇ ଗୃହର ଅନୁମୋଦନ ଲାଭ କରିଥିଲା । ଏଥିସହିତ ଗୃହରେ ବିଭାଗୀୟ ମନ୍ତ୍ରୀ ଶିଶୁ ଅଧିକାର ସୁରକ୍ଷା ବିଲ୍ ଆଗତ କରିଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା ପରେ ବହୁମତରେ ତାହା ପାରିତ ହୋଇଥିଲା । ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଛାୟା ବିଧାନସଭାରେ ରାଜ୍ୟପାଳ ଭାବେ ଚିନ୍ମୟୀ ବେହେରା, ମୁଖ୍ୟମନ୍ତ୍ରୀ ଭାବେ ପ୍ରୀତିଶ କୁମାର ସୁବୁଦ୍ଧି, ବାଚସ୍ପତିଭାବେ ଶ୍ରଦ୍ଧାଞ୍ଜଳି ଖଟାଇ, ବିରୋଧିଦଳ ନେତା ଭାବେ ନିକି ପାଟ୍ଟଶାଣୀ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୌମ୍ୟ ରଞ୍ଜନ ପାତ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଶତଭିସାଦାସ, ଶିକ୍ଷାମନ୍ତ୍ରୀ ଭାବେ ସାଗରିକା ପାଟ୍ଟଶାଣୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ପଦ୍ମାବତୀ ଭଟ୍ଟ, ଅର୍ଥମନ୍ତ୍ରୀ ଭାବେ ବବିତା ମିଙ୍ଗ୍, ବିଧାନସଭାର ସଚିବଭାବେ ଶୁଭସ୍ମିତା ବେହେରା, ମୁଖ୍ୟ ସଚେତକ ଭାବେ ଶୁଭଶ୍ରୀ ପ୍ରଧାନ, ଉପମୁଖ୍ୟ ସଚେତକ ଭାବେ ମହେଶ୍ୱର ବେହେରା, ବିଧାୟକ ଭାବେ ସସ୍ମିତା ଭୋଇ, ସ୍ୱର୍ଣ୍ଣପ୍ରଭା ବେହେରା, ଲିଜା ବେହେରା, ଲିଜାରାଣୀ ପ୍ରଧାନ, ତିଷ୍ଣା କିରଣ, ସ୍ଥିତିପ୍ରଜ୍ଞା , ଅର୍ପିତା ବାରିକ  , ଏଡିସି ଭାବେ ତ୍ରିନାଥ  ବେହେରା, ମାର୍ଶାଲ ଭାବେ ସୌମ୍ୟ ରଞ୍ଜନ ସିଂହ ନିଖୁଣ ପ୍ରଦର୍ଶନ କରିଥିଲେ ।

ଛାୟା ବିଧାନସଭା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ ହେବା ସହିତ ଆଗାମୀ ଦିନରେ ଜଣେ ଜଣେ ଦକ୍ଷ ରାଜନେତା ହୋଇ ବାହାରିବେ ବୋଲି ବାଚସ୍ପତି ତାଙ୍କ ଅଭିଭାଷଣରେ କହିଥିଲେ । ପିଲାଙ୍କ ଏଭଳି ଚମତ୍କାର ବିଧାନସଭା ପରିଚାଳନା ଦେଖି ବାଚସ୍ପତିଙ୍କ ସମେତ ଉପସ୍ଥିତ ଲୋକପ୍ରତିନିଧିମାନେ ସେମାନଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

Latest Posts

Don't Miss