ମା’ ଛେଉଣ୍ଡ ୮ ବର୍ଷର ପୁତୁରାକୁ ଦାଦା, ଖୁଡ଼ି ଚେଙ୍କ ସହ ନିର୍ଯାତନା !

କଟକ: ମା’ ଛେଉଣ୍ଡ ପିଲା । ବୟସ ମାତ୍ର ୮ ବର୍ଷ । ଦାଦା ଓ ଖୁଡ଼ି ପାଖରେ ରହି ପଢୁଥିଲା ପାଠ । ହେଲେ ଦାଦା, ଖୁଡ଼ି କୁନି ପିଲାଟି ଉପରେ ଅକଥନୀୟ ନିର୍ଯାତନା ଦେଉଥିବା ହୋଇଛି ଅଭିଯୋଗ । ସାମାନ୍ର ସାମାନ୍ୟ କଥାରେ ମାଡ଼ ମାରିବା, ରାତିରେ ଗେଟ ବାହାରକୁ ବାହାର କରିଦେବା, ୩ ମହଲାରୁ ଅଳିଆ ପକାଇବାକୁ ପଠାଇବାରେ ସରି ନଥିଲା ସଇତାନ ଦାଦା, ଖୁଡ଼ିଙ୍କ ଅତ୍ୟାଚାର । ଚେଙ୍କ ଦେଇ ଲହୁ ଲୁହାଣ କରିବାକୁ ବି ପଛାଇ ନାହାନ୍ତି । ଏମିତି ଅଭିଯୋଗ ଆସିଛି କଟକ ମର୍କତନଗର ଥାନା ଅଞ୍ଚଳରୁ । ଏନେଇ ଅଭିଯୋଗ ହେବା ପରେ ପୋଲିସ ଦମ୍ପତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ମା’ ଚାଲିଯିବା ପରଠାରୁ ପିଲାଟି ମାମୁଁ ଘରେ ରହି ପାଠ ପଢୁଥିଲା । ନିଜ ଘର ସହ ମାମୁଁ ଘରର ବି ଭଲ ସମ୍ପର୍କ ଥିଲା । ପିଲାଟି ପର୍ବ ପର୍ବାଣୀ ହେଉ କି ଅନ୍ୟ ଦିନରେ ଘରକୁ ଆଓି ବୁଲି ଯାଉଥିଲା । ହେଲେ ପୁଅକୁ ଘରକୁ ଆଣି ଏଠାରେ ରଖି ପାଠ ପଢ଼ାଇବାକୁ ପରିବାର ଲୋକେ କହିବାରୁ ଅଜା, ଆଈ ଛାଡି ଦେଇଥିଲେ । ପିଲାଟି ନିଜ ଘରକୁ ଯିବ, ପାଠ ପଢ଼ଇ ବଡ଼ ମଣିଷ ହେବ ବୋଲି ଅଜା, ଆଈ ଆଶା ରଖି ନାତିକୁ ପଠାଇ ଦେଇଥିଲେ । ନିଜ ଘରକୁ ଆସିବା ପରେ ଦାଦା, ଖୁଡ଼ି ତାକୁ ସାଙ୍ଗରେ ନେଇ ଯାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା କୁନି ପୁଅ ଉପରେ ନିର୍ଯାତନା । ଇଂଲିଶ ମିଡିୟମ ସ୍କୁଲରେ ପଢ଼ୁଥିବା ପୁଅକୁ ସେମାନେ ଶିଶୁ ମନ୍ଦିରରେ ପାଠ ପଢ଼ିବା ପାଇଁ ନାମ ଲେଖାଇ ଦେଇଥିଲେ । ସାମାନ୍ୟ ସାମାନ୍ୟ କଥାରେ ଦାଦା, ଖୁଡି ବିଶେଷ କରି ଖୁଡ଼ି ଅକଥନୀୟ ନିର୍ଯାତନା ଦେଉଥିଲେ । ଦଶହରାରେ ପିଲାଟି ମାମୁଁ ଘରକୁ ଯିବା ପରେ ସବୁ ଘଟଣା ଅଜା, ଆଈଙ୍କ ପାଖରେ କହିଥିଲେ । ଘଟଣା ଜାଣିବା ପରେ ପିଲାର ଅଜା, ଆଈ ମର୍କତନଗର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।