ଦେଶରେ ବଢୁଛି ଶିଶୁ ନିର୍ଯାତନା,କୋଭିଡ ସଙ୍କଟ କାଳରେ ବାଦ୍ ପଡିନାହାନ୍ତି ଶିଶୁ

 ଦିନକୁ ଦିନ ଦେଶରେ ଶିଶୁଙ୍କ ପ୍ରତି ନିର୍ଯାତନା ବଢିବାକୁ ଲାଗୁଛି। ଏମିତିକି କୋଭିଡ ସଙ୍କଟ କାଳରେ ବି ବାଦ୍ ପଡିନାହାନ୍ତି ଶିଶୁ । ଗତବର୍ଷ ଶିଶୁଙ୍କ ବିରୋଧରେ ଦୈନିକ ୩୫୦ ଟି ଅପରାଧ ଘଟଣା ଘଟିଥିଲା । ଏହି ସମୟକାଳ ମଧ୍ୟରେ ମୋଟ ୧ ଲକ୍ଷ, ୨୮ହଜାର ୫୩୧ ଟି ଅପରାଧ ପଞ୍ଜିକୃତ ହୋଇଥିଲା । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବିର ତଥ୍ୟ ଆଧାରରେ ଏକ ବେସରକାରୀ ସଂଗଠନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଚାଇଲଡ ରାଇଟ୍ସ ଆଣ୍ଡ ୟୁ ବା କ୍ରାଏ ସଂସ୍ଥା ପକ୍ଷରୁ କୁହାଯାଇଛି ୨୦୧୯ ରେ ଦେଶରେ ଶିଶୁଙ୍କ ବିରୋଧରେ ଅପରାଧ ସଂଖ୍ୟା ହୋଇଥିଲା ୧ ଲକ୍ଷ ୪୮ ହଜାର ୧୮୫। ଏହା ଅର୍ଥ ପ୍ରତିଦିନ ୪୦୦ଟି ଅପରାଧ ଶିଶୁଙ୍କ ବିରୋଧରେ ସଂଗଠିତ ହୋଇଥିଲା । ବାଲ୍ୟ ବିବାହ ସଂଖ୍ୟା ୫୦ ପ୍ରତିଶତ ବଢିଥିବାବେଳେ ଅନଲାଇନରେ ସେମାନଙ୍କ ବିରୋଧରେ ଅପରାଧ ଘଟଣା ୪୦୦ ପ୍ରତିଶତ ବଢିଥିଲା ।

ଗତ ଦଶନ୍ଧି ତଥା ୨୦୧୦ରୁ ୨୦୨୦ ବର୍ଷରେ ଶିଶୁଙ୍କ ବିରୋଧରେ ଅପରାଧ ସଂଖ୍ୟା ୩୮୧ ପ୍ରତିଶତ ବଢିଥିଲା ଯାହାକି ଅତ୍ୟନ୍ତ ଚିନ୍ତାଜନକ । କେବଳ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ବିହାରରେ ଯେତେ ସଂଖ୍ୟକ ଅପରାଧ ଘଟିଥିଲା ତାହା ଜାତୀୟ ହାରର ୫୦ ପ୍ରତିଶତ । ଦେଶରେ ଶିଶୁଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ ଏହା ଏକ ବିଫଳ ପ୍ରକ୍ରିୟା ବୋଲି କହିଛନ୍ତି କ୍ରାଏର ନୀତି ଗବେଷଣା ନିର୍ଦ୍ଦେଶିକା ପ୍ରୀତି ମହାରା । କୋଭିଡ କାଳରେ ସ୍କୁଲ ବନ୍ଦ, ପାରିବାରିକ ଆର୍ଥିକ ଦୁରବସ୍ଥା, ଖାଦ୍ୟ ନିରାପତ୍ତା ସଂକଟ ଆଦି କାରଣରୁ ଶିଶୁଙ୍କ ବିରୋଧରେ ଅପରାଧ ବଢିଥିଲା । ଏହା ସହ ଶିଶୁଶ୍ରମିକ ସଂଖ୍ୟା, ବାଲ୍ୟ ବିବାହ ଓ ଲିଙ୍ଗଭିତ୍ତିକ ଅପରାଧ ସଂଖ୍ୟା ବଢିଥିଲା ବୋଲି ସେ କହିଛନ୍ତି । ଆଇନ ଉଲ୍ଲଂଘନ କରି ୨୦୧୯ରେ ଦେଶରେ ୫୨୫ଟି ବାଲ୍ୟ ବିବାହ ଘଟଣା ଘଟିଥିବାବେଳେ ୨୦୨୦ରେ ୭୮୫ଟି ବାଲ୍ୟ ବିବାହ ଘଟଣା ଘଟିଥିଲା । ବିଶେଷ କରି ଦୁର୍ବଳ ବର୍ଗର ପିଲାମାନେ ଏହି ଅପରାଧର ଅଧିକ ଶିକାର ହୋଇଥିଲେ ।

Leave a Reply