ଭୁବନେଶ୍ୱର: ବିଦ୍ୟୁତ ସଙ୍କଟକୁ ନେଇ ଶକ୍ତି ବିଭାଗ ପକ୍ଷରୁ ହୋଇଛି ସମୀକ୍ଷା ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅନବରତ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରିବାକୁ ସମସ୍ତ ଡିସକମ ମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ। ଖରା ତାତି ବଢୁଥିବାରୁ ଓ ପିଲାଙ୍କ ପରୀକ୍ଷା ଥିବାରୁ ବିଜୁଳି ଯୋଗାଣକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଭିସିରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରୁଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଗ୍ରୀଡକୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି, ବିଦ୍ୟୁତ ଉତ୍ପାଦନ କମ୍ପାନୀ ସମେତ ଡିସକମ ମାନେ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ, ଆଜି ବସିଥିବା ଏହି ବୈଠକରେ ବିଦ୍ୟୁତ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ୍ ସମୟରେ ୧୦ ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୁହିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ଡ଼ିସକମ ମାନଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସମସ୍ତ ଆଇଆଇପି ବା ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି।

