ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ  

ପୁରୀ: ପୁରୀରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨୦ରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ପ୍ରତିଟି କାମ ସରିବାର ଡେଡଲାଇନ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଶ୍ରୀସେତୁ କାର୍ଯ୍ୟର ସମୀକ୍ଷା କରିବା ସହ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ । ଶ୍ରୀମନ୍ଦିର ପରିକ୍ରିମା ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆସନ୍ତା ୩ ମାସ ମଧ୍ୟରେ ଶେଷ ହେବ । ହବିଷ୍ୟାଳୀଙ୍କ ପାଇଁ ନିର୍ମାଣ କରାଯାଇଥିବା ବିଶାଳ ଘର, ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ ବର୍ଷ ସାରା କିପରି ବ୍ୟବହାର କରିପାରିବେ ସେନେଇ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ପୁରୀରେ ଥିବା ୫ଟି ତୀର୍ଥ ପୁଷ୍କରିଣୀର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ସେହିପରି ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ସରିଛି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ସମସ୍ତ ସୁବିଧା ପାଇବା ସହ ଆନନ୍ଦରେ ଶ୍ରୀମନ୍ଦିର, ସମୁଦ୍ରକୂଳ ବୁଲିବା ସହ ପୁରୀ ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳ ବୁଲିପାରିବେ । ପୁରୀ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗାର ମଧ୍ୟ ସାମଗ୍ରୀକ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି । ବର୍ତ୍ତମାନ ବିମାନବନ୍ଦରର ପାଚେରୀ ନିର୍ମାଣ କାମ ଚାଲିଛି । ଖୁବଶୀଘ୍ର ଟେଣ୍ଡର ଡକାଯାଇ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିମାନବନ୍ଦର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।