ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା: ‘ଭବିଷ୍ୟତରେ ଅଘଟଣ ରୋକିବାକୁ ନିଆଯିବ ପଦକ୍ଷେପ’

1 min read

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନୀଲ ବଂଶଲ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ରୋଷଘର ପରିଦର୍ଶନ କରିବା ସହ ସେବାୟତଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏବଂ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଘଟଣାର ନେଇ  ମାମଲା ରୁଜୁ ହୋଇସାରିଛି ଏବଂ ପୋଲିସ ତଦନ୍ତ କରୁଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ଥିବା ଦେଖିବାକୁ ମିଳିଛି । ଏହା ସହ ମନ୍ଦିର ପରିସରରେ ଜେଟିପି ସହ ସରକାରୀ ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲଗାଯିବ । ତେବେ ସୁଅର-ମହାସୁଅର ସେବାୟତଙ୍କ ମଧ୍ୟରେ ସେଭଳି କିଛି ମନମାଳିନ୍ୟ ନାହିଁ, ଯାହାର ପରିଣାମ ସ୍ୱରୂପ ଏଭଳି ଘଟଣା ଘଟିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ପୋଲିସ ଡିଜି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସିସିଟିଭି ଫୁଟେଜକୁ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଯିବ । ସିସିଟିଭି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଯେଉଁ ସ୍ଥାନମାନଙ୍କରେ ସିସିଟିଭିର ଆବଶ୍ୟକତା ରହିଛି ସେଠାରେ ସିସିଟିଭି ଲଗାଯିବ । ଏବଂ ଅଧିକ ରିଜୋଲ୍ୟୁସନ୍‌ର ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କନ୍ଧମାଳରେ ଆରମ୍ଭ ହୋଇଛି ଦଣ୍ଡ ଉପାସନା