କେନ୍ଦ୍ରକୁ ଜବାବ: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ତ୍ରୁଟି ନାହିଁ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ କୌଣସି ତ୍ରୁଟି କି ଭୁଲ ନାହିଁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ କେନ୍ଦ୍ରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧ୍ୟାଦେଶକୁ ନେଇ ଯେଉଁ ଆପତ୍ତି ଉଠାଇଥିଲା କେନ୍ଦ୍ର, ସେସବୁର ବିସ୍ତୃତ ଭାବେ ଉତ୍ତର ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧ୍ୟାଦେଶରେ ଅନେକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ଆମସାର ଆଇନର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ଆମସାର ଆଇନର ଉଲ୍ଲଂଘନ ହୋଇନଥିବା ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । ଅଧ୍ୟାଦେଶର ଯେଉଁ ଯେଉଁ ପ୍ରସ୍ତାବ ଉପରେ କେନ୍ଦ୍ର ଆପତ୍ତି ଉଠାଇଥିଲା, ସେସବୁର ଉତ୍ତର ରଖିଛନ୍ତି ମୁଖ୍ୟ ଶାସନ ସଚିବ । କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣରେ ଆମସାର ଆଇନର ପ୍ରତ୍ୟେକ ଧାରାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟ ଶାସନ ସଚିବ । ବିଧାନସଭା ଦ୍ବାରା ଅଧ୍ୟାଦେଶ ପାରିତ ହୋଇଥିବା ବେଳେ, ଏଥିରେ ପ୍ରତ୍ୟେକ ଦିଗକୁ ଗୁରୁତ୍ବ ଦିଆଯାଇଥିବାରୁ ଆମସାର ଆଇନର ଉଲ୍ଲଂଘନ ହୋଇନଥିବା ଚିଠିରେ ସ୍ପଷ୍ଟ ହୋଇଛି । ଉଠା ଦୋକାନୀଙ୍କ ଥଇଥାନ ପାଇଁ ଜଗନ୍ନାଥ ମନ୍ଦିର ପରିସର ଭଳି ଯାଞ୍ଚ କରାଯାଇ ନିର୍ଦ୍ଦିଷ୍ଟ ପୂଜା ସାମଗ୍ରୀ ଦୋକାନୀଙ୍କ ଏକାମ୍ର କ୍ଷେତ୍ର ପ୍ରକଳ୍ପ ଯୋଜନାରେ ସାମିଲ କରାଯାଇଛି । ଏଥିରେ ମଧ୍ୟ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ । ସେହିପରି ପୁରାତନ କୀର୍ତ୍ତିରାଜି ସଂରକ୍ଷଣ ପାଇଁ ଥିବା ଜାତୀୟ ନୀତି ଅନୁସାରେ ହିଁ ପ୍ରକଳ୍ପର ଡିଜାଇନ୍ କରାଯାଇଛି ।

ମନ୍ଦିରର ପରିଚାଳନା ଓ ଦେଖାରଖାକୁ ସୁବ୍ୟବସ୍ଥିତ କରିବା ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ରାଜ୍ୟର ସମସ୍ତ ମନ୍ଦିର ଦାୟିତ୍ବ କଥା ବୁଝୁଥିବା ଦେବୋତ୍ତର କମିଶନଙ୍କ ବୋଝ କମିବ । ତେଣ ଏହି ଅଧ୍ୟାଦେଶକୁ ଶୀଘ୍ର ପାରିତ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।