ସ୍ୱାଭିମାନ ଅଞ୍ଚଳରେ ଭିତ୍ତିଭୂମି ଏବଂ ଜୀବିକା ପ୍ରକଳ୍ପକୁ ସଘନ କରିବାକୁ ନିର୍ଦ୍ଦେଶ
1 min read
ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବ୍ୟାପକ ବିକାଶମୂଳକ ହସ୍ତକ୍ଷେପ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଡ଼କ ପଥ ଦେଇ ଏକଦା ନକ୍ସଲ ଗଡ଼ ଭାବେ ବିବେଚିତ ଚିତ୍ରାକୋଣ୍ଡା ସ୍ୱାଭିମାନ ଆଞ୍ଚଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନରେ ସେ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱାଭିମାନ ଅଞ୍ଚଳ ସ୍ୱତନ୍ତ୍ର ପ୍ୟାକେଜଗୁଡ଼ିକର କ୍ଷେତ୍ର ସ୍ତରର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ । ମୁଖ୍ୟତଃ ଉଦ୍ୟାନ ଚାଷ, କୃଷି, ମତ୍ସ୍ୟଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ସୃଷ୍ଟି, କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମର ଅଭିବୃଦ୍ଧି, ଜଳସେଚନ, ବିଦ୍ୟୁତିକରଣ, ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ ଆଦି ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ମୁଖ୍ୟ ସଚିବ କ୍ଷେତ୍ର ସ୍ତରରେ ଲକ୍ଷ୍ୟ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ ।
ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ସଘନ କରିବାକୁ ଶ୍ରୀ ମହାପାତ୍ର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ମତ୍ସ୍ୟଚାଷ, ବନବିଭାଗ ଏବଂ ଉଦ୍ୟାନ କୃଷି ଆଦି କାର୍ଯ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରୁଛନ୍ତି । ଏହି ଅଞ୍ଚଳରେ ସାତୋଟି ଟେଲି ଟାୱାର କାର୍ଯ୍ୟ କରୁଛି । ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ସମସ୍ତ ଘରକୁ ପ୍ରାୟ ୬୦୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବଣ୍ଟନ କରାଯାଇଛି । ପ୍ରାୟ ୯୯ ପ୍ରତିଶତ ଅଞ୍ଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି ।
ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡା ଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପର କାର୍ଯ୍ୟ, ପାଇପ୍ ପାନୀୟ ଜଳ ଯୋଗାଣର ଅଗ୍ରଗତି ଏବଂ ୩୩ କେଭି ପାୱାର୍ ସବ୍ ଷ୍ଟେସନ ଆଦି ସ୍ଥାନ ବୁଲିବା ବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ କ୍ୟାମ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ଶାସନ ସଚିବଙ୍କୁ ସ୍ଵାଗତ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ । ଅନେକ ଲୋକ କହିବାର ଶୁଣିବାକୁ ମିଳିଥିଲା ଯେ ସେମାନଙ୍କ ଅଞ୍ଚଳକୁ କୌଣସି ମୁଖ୍ୟ ସଚିବଙ୍କ ଏହା ପ୍ରଥମ ଗସ୍ତ । ଏହାପୂର୍ବରୁ ପ୍ରଥମ ଦିନ ପରିଦର୍ଶନରେ ମହାପାତ୍ର ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ମୋଟୁରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଏବଂ ପୋଟେରୁ ଅଞ୍ଚଳରେ ଗଭୀର ବୋରୱେଲ ଜଳସେଚନ କ୍ଲଷ୍ଟରରେ କୃଷି କାର୍ଯ୍ୟକଳାପକୁ ଦେଖିଥିଲେ । ସେ ଓଡ଼ିଶା ଏବଂ ଛତିଶଗଡ଼କୁ ସଂଯୋଗ କରୁଥିବା ସାବରୀ ନଦୀ ଉପରେ ନିର୍ମାନାଧିନ ସେତୁର ଅଗ୍ରଗତି ମଧ୍ୟ ସମୀକ୍ଷା ମଧ୍ୟ କରିଥିଲେ ।
ଶ୍ରୀ ମହାପାତ୍ର ମଧ୍ୟ ମୁଗି ବୋର୍ଡର୍ ପଏଣ୍ଟକୁ ଯାଇ ସେଠାରେ ବିକାଶମୂଳକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ । ସେଠାରେ ସ୍ତପିତ୍ର ଓଡ଼ିଶାର ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିରାସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବାଲମୁକୁନ୍ଦ ଭୂୟାଁ, ବିଭାଗୀୟ ବନ ଅଧିକାରୀ ପ୍ରତାପ କୋଟାପାଲି ଏବଂ ମାଲକାନଗିରିର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।