ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ: ପ୍ରକଳ୍ପ ଗୁଡ଼ିକର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ସମୟ ସୀମା ନିର୍ଦ୍ଧାରଣ
1 min read
ଯାଜପୁର: ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କରିବା ସହ ପ୍ରକଳ୍ପଗୁଡ଼ିକର ବିଭିନ୍ନ ପର୍ଯ୍ୟାୟ କାମ ଏବଂ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାରେ ପହଞ୍ଚିବା ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଳରେ ନିର୍ମାଣାଧନ ସମ୍ପ୍ରସାରଣ ବ୍ଳକର ଅଗ୍ରଗତି କାର୍ଯ୍ୟ ପରିଦର୍ଶନ କରିଥିଲେ ।
କାର୍ଯ୍ୟନ୍ୱୟନ ତ୍ୱରାନ୍ୱିତ କରି ୨୦୨୨ ଅଗଷ୍ଟମାସ ଶେଷ ସୁଦ୍ଧା କାର୍ଯ୍ୟପୂର୍ଣ୍ଣାଙ୍ଗ ପୂର୍ବକ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ଏବଂ ଜଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଶ୍ରୀ ମହାପାତ୍ର ନିର୍ମାଣାଧୀନ ଯାଜପୁର ମେଡିକାଲ କଲେଜ, ଇନ୍ଡୋର୍ ସ୍ପୋର୍ଟସ୍ କମ୍ପ୍ଳେକ୍ସ, ମା’ ବିରଜା ମନ୍ଦିର ଚତୁଃପାର୍ଶ୍ୱ ଉନ୍ନୟନ ପ୍ରକଳ୍ପ ଏବଂ ବିରଜା ହାଇସ୍କୁଲ ରୂପାନ୍ତରଣ ପ୍ରକଳ୍ପ ଆଦି ପରିଦର୍ଶନ କରି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ ।
ଏହି ଗସ୍ତକାଳରେ ଶ୍ରୀ ମହାପାତ୍ର ବିରଜା ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ଅଗ୍ରଗତି ନିରୀକ୍ଷଣ କରିଥିଲେ । ବିଦ୍ୟାଳୟର ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ଆଦି ପରିଦର୍ଶନ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଏହିସବୁ ସର୍ବୋକୃଷ୍ଟ ସୁବିଧାର ବ୍ୟବହାର ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଦେଶର ଯେ କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମକକ୍ଷକରି ଗଢ଼ିବା ପାଇଁ ଶ୍ରୀ ମହାପାତ୍ର ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।