ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଡୋଜ୍ ପ୍ରଦାନ ନେଇ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମୁକାବିଲା ନେଇ ଜିଲ୍ଲାସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ ଜିଲ୍ଲାସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ରବିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରୋନା ସମ୍ପର୍କିତ ସମୀକ୍ଷା ବୈଠକରୁ ପ୍ରକାଶ ।

କରୋନା ମୁକାବିଲା ନେଇ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ଡାକ୍ତର, ନର୍ସମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ କରୋନା ସଂକ୍ରମିତଙ୍କ ପରିବାର ଲୋକଙ୍କ ପାଇଁ ସହାୟତା କେନ୍ଦ୍ର ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଯାହା ଫଳରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେମାନେ ଯୋଗାଯୋଗ କରିପାରିବେ ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ସଚିବ ରାଜ କୁମାର ଶର୍ମା ବଜାରେ ଉପଲବ୍ଧ କରୋନା ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବା କହିଛନ୍ତି । ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବଙ୍କ ଆବଶ୍ୟକୀୟ ସହାୟତା ସମ୍ପର୍କରେ ପଚାରି ବୁଝିବା ସହ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରାଜ୍ୟରେ ଏଯାବତ୍ ମୋଟ୍ ୭ହଜାର ୧୮୧ ଅକ୍ସିଜେନ୍ ବେଡ୍, ଶିଶୁ ରୋଗୀଙ୍କ ପାଇଁ ୧ହଜାର ବେଡ୍, ୨୦୨୪ ଆଇସିୟୁ ଏବଂ ଏଚଡିୟୁ , ୮୭୪ ଭେଣ୍ଟିଲେଟର ଉପଲବ୍ଧ ରହିଛି । ରାଜ୍ୟରେ ମୋଟ ୧୬ ହଜାର୧୧୭ ସକ୍ରିୟ ମାମଲା ରହିଥିବା ବେଳେ ୧୫ହଜାର ୬୪୦ଜଣ ସଂକ୍ରମିତ ହୋମ୍ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି ।

Leave a Reply