ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ସଂଗ୍ରାମୀ ଓ ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନବୀନ ପଟ୍ଟନାୟକ ।
ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଛି ।
ବିଶ୍ବକପ୍ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି । ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ସାରା ବିଶ୍ବର ନଜର ଏବେ ଓଡ଼ିଶା ଉପରେ ରହିଛି । ଦୁଇ ଦୁଇ ଥର ଆମେ ବିଶ୍ବକପ୍ ହକି ସଫଳତାର ସହ ଆୟୋଜନ କରିଛୁ । ଏହା ସାରା ଦେଶ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା ।
କେବଳ କ୍ରୀଡା ନୁହେଁ, ଆମର ଶିଳ୍ପ ବିକାଶର ଯାତ୍ରା – ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ । ଆମର ମା’ ମାନଙ୍କ ସଫଳତାର କାହାଣୀ – self help groupରୁ small & medium entrepreneur ହେବାର ସୁଯୋଗ । ସେହିପରି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ପ୍ରତିବଦ୍ଧତା- 5T ସ୍କୁଲ ଟ୍ରାନ୍ସଫରମେସନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଛି ।
ସେହିପରି ଚାଷୀଭାଇଙ୍କ କଲ୍ୟାଣ ଓ ସଶକ୍ତିକରଣ- କାଳିଆ, ବଳରାମ ଯୋଜନା ଓ ମିଲେଟ୍ ମିଶନ କରାଯାଇଛି । ଏସବୁ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଜନମାନସରେ ଏବେ ପରିବର୍ତ୍ତନ ଆସିଛି । ଓଡ଼ିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି । ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ବ ଦେଉଛନ୍ତି ।
ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି । ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଛା ବୃଦ୍ଧି ପାଇଛି । ଆମର ସାମର୍ଥ୍ୟ ଉପରେ ଭରସା ବଢିଛି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡ଼ିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର । ସାଢେ ଚାରି କୋଟି ଓଡ଼ିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥୀ । ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡ଼ିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।