ବିଜେପି ଉପରେ ପାଣ୍ଡିଆନଙ୍କ ପ୍ରହାର: ସତ ହେବନି ଭବିଷ୍ୟବାଣୀ,ବିଜେପି ବଦଳାଉ ଜ୍ୟୋତିଷ

1 min read

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ ଆସନ୍ତା ୬ ମାସ ମଧ୍ୟରେ ବିଜେଡ଼ିରେ ବଡ଼ ଧରଣର ବିସ୍ଫୋରଣ ହେବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଇଶାରା ବିଜେଡିରେ ବିଭାଜନ ଆଡ଼କୁ ଥିଲା। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହାର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖି ସେ କହିଛନ୍ତି ଯେ, ବିଜେପି ସବୁବେଳେ ଏଇଟା ହେବ, ସେଇଟା ହେବ ବୋଲି କୁହେ। କିନ୍ତୁ କିଛି ବି ହୁଏନା। ସେମାନେ ଯାହାବି କୁହନ୍ତି ତାହା କେବେ ସତ ହୁଏନା। ବିଜେପି ତା’ର ଜ୍ୟୋତିଷଙ୍କୁ ବଦଳାଉ ବୋଲି ପାଣ୍ଡିଆନ ପାରାମର୍ଶ ଦେଇଛନ୍ତି ।

ବିଜେପି ବଦଳାଉ ଜ୍ୟୋତିଷ

ନିର୍ବାଚନୀ ସଭାରେ ବିଜେଡିରେ ବିଭାଜନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଉପରେ ପାଣ୍ଡିଆନ କହିଛନ୍ତି ଯେ, ବିଜେପି ଯେତେବେଳେ ବି କିଛି ଭବିଷ୍ୟବାଣୀ କରିଛି ତାହା ସତ ହୋଇନାହିଁ। ଏଣୁ ବିଜେପି ତା’ର ଜ୍ୟୋତିଷଙ୍କୁ ବଦଳାଉ ବୋଲି ସେ ଗୈରିକ ଦଳକୁ ପରାମର୍ଶ ଦେଇଛନ୍ତି ।

ରଣନୀତି ହୀନ ବିଜେପି

ବିଜେପି ବିନା ରଣନୀତିରେ ନିର୍ବାଚନ ଲଢୁଛି ବୋଲି ପାଣ୍ଡିଆନ କହିଛନ୍ତି। କୌଣସି ରଣନୀତି ନଥିବାରୁ ବିଜେପି ବାରମ୍ବାର ପଲିଟିକାଲ ନ୍ୟାରେସନ ବଦଳାଉଛି ବୋଲି ସେ କହିଛନ୍ତି ।  ବିଜେପି ପାଖରେ କିଛି ରାଜନୀତି ଷ୍ଟ୍ରାଟେଜି ନାହିଁ। ସେମାନେ କହି ପାରିବେ ନାହିଁ କେତେ ରାସ୍ତା କାମ କରିଛନ୍ତି। ୧୦ ବର୍ଷ କ୍ଷମତାରେ ଥାଇ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତେବେ ଓଡ଼ିଶାର ଅନେକ ବିକାଶ ହୋଇଥାନ୍ତା। ଏ ସବୁ କିଛି କଲେ ନାହିଁ।  କିନ୍ତୁ ନିର୍ବାଚନ ୧୦ ଦିନ ଆଗରୁ ଓଡିଶା କଥା ମନେ ପଡିଲା ଓ କିଛି ପ୍ରସଙ୍ଗ ଖୋଜି ଖୋଜି ବାହର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଅପମାନ ବୁମେରାଂ ହେବ

ମୁଖ୍ୟମନ୍ତ୍ରୀ ପ୍ରତି ଅସମ୍ମାନକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ। ଏହାର ଜବାବ ଓଡିଶାବାସୀ ଭୋଟରେ ଦେବେ ବୋଲି କହିଛନ୍ତି ପାଣ୍ଡିଆନ। କୌଣସି ପ୍ରସଙ୍ଗ ନଥିବାରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରସଙ୍ଗ କରିଛି । ଯାହା ତା’ ପାଇଁ ବୁମେରାଂ ହୋଇଛି ଓ ଆଗକୁ ମଧ୍ୟ ହେବ ବୋଲି ସେ କହିଛନ୍ତି ।

ଗୋଲ୍ ପୋଷ୍ଟ ବଦଳାଉଛି ବିଜେପି

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେପି ପ୍ରତି ପର୍ଯ୍ୟାୟରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି । ପ୍ରଥମେ ଓଡିଆ ଅସ୍ମିତା କଥା ଉଠାଇଲେ, କିନ୍ତୁ ଓଡ଼ିଆ ଅସ୍ମିତାକୁ ନେଇ  ସେମାନେ କ’ଣ କରିଛନ୍ତି ପ୍ରଶ୍ନ ହେବାରୁ ଗୋଲ ପୋଷ୍ଟ ଚେଞ୍ଜ କରିଛନ୍ତି । ଅପପୃଷ୍ଠି, ଭିତ୍ତିଭୂମୀ, ଆଦି କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ପଛରେ ଅଛି ବୋଲି କହୁଥିଲେ। ସତ ସାମ୍ନାକୁ ଆସିବା ପରେ ସେମାନେ ଚୁପ୍ ରହିଲେ । କାରଣ ଗୁଜୁରାଟ ଏ କ୍ଷେତ୍ରରେ  ବହୁ ପଛରେ ଥିବା ବେଳେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଅଛି l ଅସ୍ମିତା ପ୍ରସଙ୍ଗ କାମ ନକରିବାରୁ ବିଜେପି ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଛି । ୪୦ ବର୍ଷ ହେବ ଖୋଲା ଯାଇନଥିବା ରତ୍ନଭଣ୍ଡାରକୁ  ବିଜେପି ପ୍ରସଙ୍ଗ କରିଥିଲା l ଏହା ଉପରେ ପାଣ୍ଡିଆନ କହିଥିଲେ ଯେ, ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି  ଲୁଚାଇ ବାର କୌଣସି କାରଣ ନାହିଁ। ହାଇକୋର୍ଟର ନିର୍ଦ୍ଦେଶରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସେହିଭଳି ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ପୁରୀ ପରିକ୍ରମା ପ୍ରକଳ୍ପକୁ ଅଟକାଇବାକୁ ଦିନରାତି ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି। ମହାନଦୀ ପ୍ରସଙ୍ଗରେ ଏକ ପାଖିଆ ନିଷ୍ପତ୍ତି ନେଇଥିବା  କେନ୍ଦ୍ର ସରକାର ଓ ରାଜ୍ୟର କେନ୍ଦ୍ରମନ୍ତ୍ରୀ କିପରି ଛତିଶଗଡ ସାଙ୍ଗରେ ହାତ ମିଶାଇ ଓଡ଼ିଶା ବିରୋଧରେ କାମ କଲେ, ସେବାବଦରେ ମଧ୍ୟ ପାଣ୍ଡିଆନ କହିଥିଲେ। ଏହାକୁ ଓଡିଶାବାସୀ କେବେ ଭୁଲି ପାରିବେନି। ମହାପ୍ରଭୁ, ମହାନଦୀ, ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକ ଓଡ଼ିଶାର ପରିଚୟ।

ବିଜୁ ବାବୁଙ୍କୁ କାହିଁକି ମିଳିଲା ନାହିଁ ଭାରତ ରତ୍ନ?

ବିଜୁବାବୁଙ୍କ ପରି ଜଣେ ମହାନ୍ ନେତାଙ୍କୁ ଭାରତରତ୍ନ ନଦେବା ଦୁଃଖର କଥା। ଏହା ଓଡିଶାବାସୀଙ୍କୁ କଷ୍ଟ ଦେଇଛି। ଓଡିଶାର କ’ଣ ଜଣେ ବି ନାହାଁନ୍ତି ଭାତରରତ୍ନ ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନବୀନ ପଟ୍ଟନାୟକ ଓଡିଶା ଓ ଭାରତର ଲୋକପ୍ରିୟ ନେତା  । ୨୪ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନରେ ଅଧିକରୁ ଅଧିକ ଆସନରେ ବିଜୟ ଲାଭ କରୁଛନ୍ତି । ଏମିତି ଜଣେ ଲୋକପ୍ରିୟ ନେତାଙ୍କୁ ବାହାରୁ ଆସୁଥିବା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ଅଶାଳୀନ ଭାଷାରେ ଗାଳି କରିବା ସହ ଅସମ୍ମାନ କରୁଛନ୍ତି l ତାହାକୁ ଓଡିଶାବାସୀ କେବେ ଭୁଲିବେ ନାହିଁ l ନିର୍ବାଚନରେ ବିଜେପିର ଏହି ୪ଟି ଭୁଲ ସେମାନଙ୍କ ପାଇଁ ବୁମେରାଂ ହୋଇଛି l ଓଡିଶାର ଭାଇ ଓ ଭଉଣୀମାନେ ଏହାର ଉଚିତ୍ ଜବାବ ଦେବେ l ଯାହା ଆସନ୍ତା ୪ ତାରିଖ ଦିନ ସ୍ପଷ୍ଟ ହୋଇଯିବ l ତେଣୁ ଯେତେ ଗୋଲ ପୋଷ୍ଟ ଚେଞ୍ଜ କଲେ ବି କିଛି ଫରକ୍ ପଡ଼ିବନି ।

ଓଡ଼ିଶାରେ ନାହିଁ ବିଜେପିର ସ୍ଥିତି

ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ । ସେମାନେ ନିଯୁକ୍ତି, ଅଭିବୃଦ୍ଧି, ଦରଦାମ ଆଦି କ୍ଷେତ୍ରରେ କିଛି କହିପାରିବେ ନାହିଁ l ଯାହା ସାଧାରଣ ଜନତାଙ୍କୁ ଛୁଇଁ ପାରିବ । ଓଡ଼ିଶାକୁ କେମିତି ସଶକ୍ତ ରାଜ୍ୟ କରିବେ, ତାହା ଉପରେ କେବେ ବିତର୍କ କରୁ ନାହିଁ ବିଜେପି। ଭୋଟ ଆଦାୟ ପାଇଁ ବିଜେପି ଯେଉଁ ରାଜନୀତି ଓ ରଣନୀତି କରୁଛି ତାହା ସେମାନଙ୍କ ପାଇଁ ବୁମେରାଂ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ସେବା ଭାବେ ଗ୍ରହଣ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଓଡ଼ିଶାବାସୀ ତାହା ଭଲ ଭାବେ ଜାଣିଛନ୍ତି, ତେଣୁ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।