ରାଉରକେଲା ଗସ୍ତ ସାରି ଆଜି ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ଗସ୍ତ ସାରି ଆଜି ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ରାଉରକେଲା ଗସ୍ତରେ ଯାଇ ବ୍ୟାପକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେଠାରେ ରାତ୍ରୀଯାପନ କରିଥିଲେ।

ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମ୍ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦଘାଟନ କରିଛନ୍ତି ।

୧୫୭ କୋଟି ୨୧ ଲକ୍ଷ ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି । ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଏହି ଷ୍ଟାଡିୟମ ଉତ୍ସର୍ଗୀକୃତ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଏବଂ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୩ କୋଟି ୫୩ ଲକ୍ଷ  ଟଙ୍କାର ପାନପୋଷଠାରେ ବଜାର ଗୃହ ନିର୍ମାଣ, ୧୧ କୋଟି ୭୭ ଲକ୍ଷ ଟଙ୍କାର ଆସ୍ଥା ଗୃହ, ୨୩୨ କୋଟି ଟଙ୍କାର ୫ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଳକର ଉଜ୍ଜଳପୁର ଠାରେ ୨ କୋଟି ୫୫ ଲକ୍ଷ ଟଙ୍କାର ମାର୍କେଟ ୟାର୍ଡ ଓ ଗୋଦାମ ଗୃହ, ୩୩ କୋଟି ୯୦ ଲକ୍ଷ ଟଙ୍କାର ୧୪ ଗୋଟି ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଛାତ୍ରାବାସ, ୨୩୭ କୋଟି ୨୦ କୋଟି ଟଙ୍କାର ୬୬ ଗୋଟି ରାସ୍ତା ପ୍ରକଳ୍ପ ଭଳି ବଭିନ୍ନ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ  ।

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଗିନିଜ ବୁକ୍ ଅଫ ରେକର୍ଡ  ସାର୍ଟିଫିକେଟ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସାର୍ଟିଫିକେଟ ମିଳିଛି । ଗିନିଜ ବୁକ ଅଫ ରେକର୍ଡର ଅଧିକାରୀ ମାନେ ଏହି ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି। ଗିନିଜ ବୁକ୍ ରେକର୍ଡରେ ସ୍ଥାନ ପାଇଥିଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ରେକର୍ଡ ସୃଷ୍ଟି କରିଛି ବିର୍ସା ମୁଣ୍ଡା ଷ୍ଟାଡିୟମ ।