ଶସ୍ୟଶ୍ୟାମଳ ହେବ ମୟୂରଭଞ୍ଜ, ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜ ହେବ ଶସ୍ୟଶ୍ୟାମଳ । ଜଳସେଚିତ ହେବ ଜମି । ହସିବେ ଚାଷୀ । ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକେପ୍ଟର ଯୋଗେ ବାହାରିବେ । ଦିନ ୧୧ଟା ୧୦ରେ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଟିକିରିପଡ଼ାରେ ଅସ୍ଥାୟୀ ହେଲିକେପ୍ଟର ପଡ଼ିଆରେ ଓହ୍ଲାଇବେ ନବୀନ । ପରେ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର ଓ ବାଲେଶ୍ୱରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ ।

ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ । ୧୧ଟା ୪୦ରେ କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।  ପ୍ରାୟ ୫୮ କିଲୋମିଟର ଲମ୍ବା କେନାଲର ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ ହଜାର ୯୦୦ ହେକ୍ଟର ଚାଷଜମି ଜଳସେଚିତ ହେବ । ପଡ଼ୋଶୀ କେନ୍ଦୁଝର ସାହାରପଡ଼ା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ । ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡ଼ାଯିବ। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୩୦ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ । ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।