spot_img

Latest Posts

STF ନାର୍କୋଟିକ୍ସ ଅଧ୍ୟକ୍ଷ ହେଲେ ଅଭୟ

ଭୁବନେଶ୍ୱର: ପୂର୍ବତନ ଡିଜିପି ଶ୍ରୀ ଅଭୟଙ୍କୁ ନୂଆ ଦାୟିତ୍ୱ  । ଓଡିଶା ପୋଲିସ ମୁଖିଆ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଥିବା ଅଭୟଙ୍କୁ ରାଜ୍ୟ ସରକାର  ଏସଟିଏଫ(ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି  । ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଅବସର ପରେ ଅଭୟଙ୍କୁ ମିଳିବ ମୁଖ୍ୟ ଶାସନ ସଚିବ ପାହ୍ୟା  । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରିବା ପରେ ସେ ଅବସର ଗ୍ରହଣ କରିଛନ୍ତି  । ସେପଟେ ଓଡ଼ିଶା ପୋଲିସ ଡିଜିପି ଭାବେ ସୁନିଲ ବଂଶଲ ଶୁକ୍ରବାର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି  ।

୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଧିକାରୀ ଶ୍ରୀ ଅଭୟ ସିବିଆଇ, ସିଆର୍‍ପିଏଫ୍‍ ଓ ବ୍ୟୁରୋ ଅଫ୍‍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍‍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‍ସିବି)ର ନିର୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେହିପରି ଭାରତ ପକ୍ଷରୁ ଜାତିସଂଘର ଡ଼୍ରଗ୍ସ ସଂକ୍ରାନ୍ତ ସମ୍ମେଳନରେ ମିଆଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷିଆ, ଇଣ୍ଡୋନେସିଆ ଆଦି ଦେଶର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଭାଗ ନେଇ ଆନ୍ତର୍ଜାତିକ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି।

ଦିଲ୍ଲୀ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଶା କାରବାର ବୃଦ୍ଧି ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ସୃ୍‍ଷ୍ଟି ହୋଇଛି। ତେଣୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ରାଜ୍ୟରେ ନାର୍କୋଟିକ୍ସ ଓ ଡ଼୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଶ୍ରୀ ଅଭୟଙ୍କୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି। ଡିଜିପି ଭାବରେ ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ରେକର୍ଡ଼ ପରିମାଣର ଡ଼୍ରଗ୍ସ ଜବତ କରାଯାଇଛି ଓ ବହୁ ଡ଼୍ରଗ୍‍ ମାଫିଆ ଗିରଫ ହୋଇଛନ୍ତି।

ଅନୁରୂପ ଭାବରେ ଗଞ୍ଜେଇ ଚାଷ ନିୟନ୍ତ୍ରଣ ଓ ଗଞ୍ଜେଇ ଗଛ ନଷ୍ଟ କ୍ଷେତ୍ରରେ ପୁଲିସ ବିଭାଗକୁ ବେଶ୍‍ ସଫଳତା ମିଳିଛି। ନିଶା ମାଫିଆଙ୍କୁ ସାବାଡ଼ କରିବା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବାରୁ ଅଭୟଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିବା କୁହାଯାଉଛି। ଅଭୟ ନୂଆ ପଦବୀ ପାଇବା ପରେ ଆଗାମୀ ଦିନରେ ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ଆଶା କରାଯାଉଛି। ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ସୁବିଧା ସୁଯୋଗ ମିଳିବ ବୋଲି ସୂଚନା ମିଳିଛି।

Latest Posts

Don't Miss