ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ।  ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ସମୟରେ 5T ସଚିବ ଭି.କେ. ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ଏହା ଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ।

ଏହି  ଘୋଷଣା ଦ୍ବାରା ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିବା ୯ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା  କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡା, କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ ଓ ନବରଙ୍ଗପୁର  ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।