ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: କହିଲେ, ମା’ ମାଉସୀଙ୍କ ଉପରେ ଲକ୍‌ଡାଉନ୍‌ର ବୋଝ ଲଦନ୍ତୁ ନାହିଁ

1 min read

କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ହୋଇଥିବା ଲକଡାଉନରେ ପରିବାରର ମା, ମାଉସୀ, ଭାଉଜ ଓ ଭଉଣୀଙ୍କ ଉପରେ ସବୁ ବୋଝ ଲଦନ୍ତୁ ନାହିଁ । ଆଜି ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି । ଏଥିସହିତ କରୋନା ରୋଗୀଙ୍କ ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ-୧୯ ହସ୍‌ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା ।

କରୋନା ଲକଡାଉନ ଏବେ ମହିଳାଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି … ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରୁଛନ୍ତି ମହିଳା… ରୋଷେଇ ଠାରୁ ଆରମ୍ଭ କରି ବାସନ ମଜା ଓ ଲୁଗାସଫା ଯାଏଁ ସବୁ ଭାର ମହିଳାଙ୍କ ଉପରେ । ଏଭଳି ସ୍ଥିତି ବିବ୍ରତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମା, ମାଉସୀ, ଭାଉଜ ଓ ଭଉଣୀଙ୍କ ଉପରେ ଲକଡାଉନର ସମସ୍ତ ବୋଝ ଲଦିଦିଆନଯାଉ । ସେମାନେ ଭାଙ୍ଗିପଡ଼ିଲେ ଦେଶ ଭାଙ୍ଗିପଡିବ, ଆଜି ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବାର୍ତ୍ତା ଦେଇଛନ୍ତି । ସମସ୍ତେ ସଂଯମତା ରକ୍ଷା କରିବା ସହ ପୂଜା ଛୁଟି ପରି ମଉଜ ମଜଲିସ ନକରିବାକୁ ଆହ୍ଵାନ ଦେଇଛନ୍ତି ସରକାର ।

ଅନ୍ୟପଟେ ଲକଡାଉନରେ ୧୦ ପ୍ରତିଶତ ଲୋକ ଦାୟିତ୍ୱହୀନ ହେଉଥିବା ନଜରକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି । କ୍ୱରେଣ୍ଟାଇନ୍‌ ନିର୍ଦ୍ଦେଶକୁ ଉଲଂଘନ ଅଭିଯ଼ୋଗରେ ୬୧ଟି ମାମଲା ଦାଏର ହୋଇଥିବା ବେଳେ ଲକଡାଉନ ଉଲଂଘନ ଅଭିଯ଼ୋଗରେ ୧୫ଶହରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେଣୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ଛାନିଆ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ନକିଣିବାକୁ ମଧ୍ୟ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି ।

ରାଜ୍ୟ ବାହାରେ ପ୍ରାୟ ୧ ଲକ୍ଷ ୨୦ ହଜାର ଓଡିଆ ଫସିରହିଛନ୍ତି । ସେମାନଙ୍କ ଖାଇବା ପିଇବା ଓ ରହିବା ପାଇଁ ଅନ୍ୟ ରାଜ୍ୟ ସହ ଯ଼ୋଗାଯ଼ୋଗ କରାଯାଇ ପଦକ୍ଷେପ ନିଆଯାଇଛି । ସେହିଭଳି ଓଡିଶାରେ ପ୍ରାୟ ୨୦ ହଜାର ଅନ୍ୟରାଜ୍ୟ ଶ୍ରମିକ ରହିଛନ୍ତି । ସେମାନଙ୍କ ପାଇଁ ଗ୍ରାମାଞ୍ଚଳରେ ୨୫୦ଟି କ୍ୟାମ୍ପ ହୋଇଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଅନ୍ୟ ରାଜ୍ୟର ଶ୍ରମିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ବୋଲି କହିଛନ୍ତି ରାଜ୍ୟ ଶ୍ରମ ସଚିବ ।

ଗତ ୪୮ଘଣ୍ଟା ମଧ୍ୟରେ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ । ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୭୬ ଜଣ ଆଇସୋଲେସନରେ ଅଛନ୍ତି ।

Leave a Reply