ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ଦେଶବ୍ୟାପୀ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ସନ୍ଦେଶ ଦେଇଛନ୍ତି । ସେ କରୋନା ବିରୋଧୀ ଲଢ଼େଇକୁ ଜାରି ରଖିବା ପାଇଁ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ମୁଖ୍ୟତଃ ୫ଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି । ଲକଡାଉନ୍ କୋହଳ ହୋଇଯାଇଛି, ତାର ଅର୍ଥ ନୁହେଁ କରୋନା ଚାଲିଗଲା । ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ମୌସୁମୀ ବର୍ଷା ଆରମ୍ଭ ହେଉଥିବାରୁ ଥଣ୍ଡା, କାଶ, ଜ୍ୱର ବୃଦ୍ଧି ପାଇବ । ଏହାସହ ୫ ଲକ୍ଷ ପ୍ରବାସୀ ଘରକୁ ଫେରୁଛନ୍ତି । ଏହି ୨ଟି କାରଣ ପାଇଁ ଆଗାମୀ ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ସଟଡାଉନ୍ ଓ ଲକଡାଉନକୁ ପାଳନ କରନ୍ତୁ ।

୫ ପରାମର୍ଶ

୧) ଜରୁରୀ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ ।

୨) ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ୯୦ ପ୍ରତିଶତ କମିବ ।

୩) ହାଟ, ବଜାର, ଅଫିସ୍, ଟ୍ରାଫିକ୍ ସବୁଠାରେ ସାମାଜିକ ଦୂରତା ରକ୍ଷା କରନ୍ତୁ ।

୪) ଘରକୁ ଫେରିବା ପରେ ଭଲଭାବେ ସାବୁନରେ ୨୦ ସେକେଣ୍ଡ ଯାଏଁ ହାତ ଧୁଅନ୍ତୁ । କାରଣ ନିଜ ଲୋକ କୋଭିଡ୍ ହସ୍ପିଟାଲକୁ ଯାଆନ୍ତୁ । ଏହା କେହି ଚାହିଁବେ ନାହିଁ ।

୫) ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗୁରୁତର ରୋଗୀ, ଗର୍ଭବତୀ ମହିଳା ଓ ୧୦ ବର୍ଷର କମ୍ ବୟସର ପିଲାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ ।

ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୀବନ ଓ ଜୀବିକା ୨ଟି ଯାକ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ରହିଲେ ଜୀବିକା ଆଗକୁ ବଢ଼ିବ । ଲକଡାଉନକୁ ଜୀବିକା ପାଇଁ କୋହଳ କରାଯାଇଛି । କିନ୍ତୁ, ଏହା ଯେମିତି ଜୀବନ ପ୍ରତି ବିପଦ ସୃଷ୍ଟି ନକରେ ସେଥିପାଇଁ ଆମକୁ ସାବଧାନ ରହିବାକୁ ପଡ଼ିବ । ବର୍ତ୍ତମାନ ପରିସ୍ଥିତିରେ ଆତ୍ମ ସଂଯମ ହିଁ ଏକମାତ୍ର ବିକଳ୍ପ ।

 

Leave a Reply