ସମ୍ବଲପୁର: ଡାକିଲେଣି ମାଆ…ଡାକିଲାଣି ବିଜେସ୍ଥଳୀ । ଭକ୍ତଙ୍କ ଅପେକ୍ଷାରେ ମାଆ ସମଲେଶ୍ବରୀଙ୍କ ଭବ୍ୟପୀଠ । ହାତଠାରି ଡାକିଲାଣି ପଶ୍ଚିମ ଓଡ଼ିଶାର ଆରାଧ୍ୟା ତଥା ସାରା ଓଡ଼ିଶାର ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମାଆ ସମଲେଇ ପୀଠର ରୂପାନ୍ତରିତ ରୂପ। ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ସାରା ଓଡ଼ିଶା। ଏହାରି ଭିତରେ ଆସନ୍ତାକାଲି ପବିତ୍ର ଦିବସରେ ମହାଯଜ୍ଞ ପାଇଁ ହେବ ଅଙ୍କୁରାରୋପଣ। ଏହାପରେ ଆରମ୍ଭ ହେବ ହୋମଯଜ୍ଞ । ୨୪ ତାରିଖରେ କଳସ ଯାତ୍ରା ସହ ମହାନଦୀରୁ ପୂର୍ଣ୍ଣ କଳସ ଅଣାଯାଇ ମାଆଙ୍କ ପୀଠରେ ଅଧିବାସ କରାଯିବ । ୨୭ରୁ ଯଜ୍ଞ ଆରମ୍ଭ ସହ ମନ୍ଦିରର ୪ଦ୍ବାର ହୋମଯଜ୍ଞ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ୩୦ ମିନିଟିରେ ଐତିହାସିକ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସନ୍ଧ୍ୟାରେ ମହାନଦୀରେ ଭବ୍ୟ ଆଳତି କରାଯାଇ ବିଧିଅନୁସାରେ ପୂଜାର୍ଚ୍ଚନା କରାଯାଇ ୩୧ତାରିଖରେ ପୂର୍ଣ୍ଣାହୂତି ପ୍ରଦାନ କରାଯିବ।
ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାବାବେଗକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କଠାରୁ ସିନ୍ଦୂର ଓ ଚୁନରି ସଂଗ୍ରହ କରାଯିବ । ସିନ୍ଦୂର ଓ ଚୁନରି ମାଆଙ୍କର ଅତ୍ୟନ୍ତ ପ୍ରିୟ। ଭକ୍ତଙ୍କ ମନୋବାଞ୍ଝା ପୂରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩୦ ତାରିଖ ପରଠାରୁ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିବା ସହ ସିନ୍ଦୂର ଓ ଚୁନରି ଅର୍ପଣ କରିବେ। ଲୋକାର୍ପଣ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ନୂଆ ରୂପ ନେଇଛି ସମଲେଇ ମନ୍ଦିର। ମାତ୍ର ଦୁଇବର୍ଷ ଭିତରେ ସମଲେଇ ମନ୍ଦିରର ରୂପାନ୍ତରଣ ସମ୍ପୂର୍ଣ୍ଣ ହୋଇଛି । ସମଲେଶ୍ୱରୀ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ହୋଇଥିବା ପରିକଳ୍ପନା ବାସ୍ତବତାର ରୂପ ନେଇଛି । ଯେଉଁଠି ଶ୍ରଦ୍ଧାଳୁମାନେ ସୁନ୍ଦର ଓ ଆଧ୍ୟାତ୍ମିକ ଅନୁଭୂତି ନେଇପାରିବେ।

