କୋଟିଆରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

KOTIA Naveen Patnaik

କୋଟିଆ: କୋଟିଆର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା । ଗୋଟିଏ ପରେ ଗୋଟିଏ ନେଉଛନ୍ତି ବଡ଼ ପଦକ୍ଷେପ । ବିକାଶ ପଥରେ ସୀମାନ୍ତ କୋଟିଆ । ଶୁକ୍ରବାର ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଟିଆରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦଘାଟନ କରାଯିବ ।

ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗୋଟିଏ ପଟେ ଓଡ଼ିଶା ସରକାର ସେଠାରେ ବିକାଶମୂଳକ କାର୍ଯ୍ୟ ଉପରେ ଗରୁତ୍ୱ ଦେଉଥିବା ବେଳେ ଆନ୍ଧ୍ରପ୍ରଦେଶ କିନ୍ତୁ ନିଜ ପ୍ରକୃତିରେ ଆଣୁନି ସୁଧାର । କୋଟିଆ ପୁଞ୍ଜରେ ୩ ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଓଡିଶା ସରକାର କୋଟିଆରେ ୧୫୦କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି । ତଥାପି ଆନ୍ଧ୍ର ଆଡକୁ ଢଳୁଛି କୋଟିଆ । ଓଡିଶା ପକ୍ଷରୁ କେବଳ ଗୋଟିଏ କୋଟିଆ ପଞ୍ଚାୟତ କରାଯାଇଥିବା ବେଳେ ଆନ୍ଧ୍ର ୩ଟି ପଞ୍ଚାୟତରେ ବିଭକ୍ତ କରିଛି । ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ । ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ କରାଇବ ବୋଲି ଯୋଜନା କରିଛି ।

Leave a Reply