୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା  । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ଯାହା ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଛି । ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ଯ୍ୟକ୍ରମ କରାଯାଉଛି । ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି । ଅକ୍ଟୋବର ୧୬, ଦେଶର ଶ୍ରେଷ୍ଠ ପ୍ରଶାସକ ତଥା ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଆଖ୍ୟା ପାଇଥିବା ନବୀନ ପଟ୍ଟନାୟକଙ୍କ 78ତମ ଜନ୍ମଦିନ । ନିଜ ସରଳ ଜୀବନଶୈଳୀ ପାଇଁ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସାରା ଦେଶରୁ ଶୁଭେଚ୍ଛା । ଗତ କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯୟ ସହ ଅନେକ କାରଣରୁ ନିଜ ଜନ୍ମଦିନ ପାଳନ କରୁ ନାହାନ୍ତି ନବୀନ । ହେଲେ ତାଙ୍କ ଶୁଭେଛୁ ଓ ରାଜ୍ୟବାସୀ ଆଜିର ଦିନକୁ ସେବାର ଦିନ ଭାବେ ପାଳନ କରି ଆସୁଛନ୍ତି । ଜନସେବାରେ ୨୬ ବର୍ଷ ଅତିକ୍ରମ କରି ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ସେହିପରି ଅନେକ ମନ୍ଦିରରେ ନବୀନଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରାଯିବା ସହ ହସ୍ପିଟାଲରେ ଫଳ ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ବ୍ୟକ୍ତିତ୍ବ ଓ ତାଙ୍କ ମହତ ଚିନ୍ତାଧାରାକୁ ମନେ ପକାଇଛନ୍ତି ଅନେକ ନେତା । ଲୋକଙ୍କ ଅର୍ଥ ଲୋକଙ୍କ ପାଇଁ ଖର୍ଚ୍ଚ ହେବ ।

ଏ ଭିଜନ ନେଇ ଆଜି ଯାଏଁ ନବୀନ କାମ କରି ଆସୁଛନ୍ତି । ଯେଉଁଥି ପାଇଁ ସେ କେବେ ଦାମୀ ଗାଡି ଚଢିବାକୁ ପସନ୍ଦ କରି ନାହାନ୍ତି । ଏପରିକି ବିପର୍ଯୟ ସମୟରେ ସବୁ ବାଧା ଓ କଷ୍ଟ ଅତିକ୍ରମ କରି ସେ ଲୋକଙ୍କ ପାଖରେ ପହଂଚିଛନ୍ତି । ଜଣେ ସୁଲେଖକ ଭାବେ ସୁନାମ ଅର୍ଜନ କରିଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ, ଆଜି ପ୍ରଶାସନିକ କ୍ଷେତ୍ରରେ ବି ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେଇ ଚାଲିଛନ୍ତି । ସୁଖ ସମସ୍ତଙ୍କ ସହ ବାଣ୍ଟିବା ଓ ଦୁଃଖ ସମୟରେ ସମସ୍ତଙ୍କ ପାଇଁ ଠିଆ ହେବା ହିଁ ନବୀନ ଆଦର୍ଶ । ଯେଉଁଥିପାଇଁ କୋଭିଡ ସମୟରେ ୧୭ରାଜ୍ୟକୁ ମାଗଣା ଅକ୍ସିଜେନ ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସ୍ତିତ୍ବ ହରାଇବାକୁ ବସିଥିବା ହକି ଖେଳକୁ ସଂଜୀବନୀ ଯୋଗାଇବା ସଦୃଶ ୧୦ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମକୁ ସ୍ପନ୍ସର କଲା ଓଡ଼ିଶା । ଯାହା ଭାରତୀୟ ପୁରୁଷ ହକି ଟିମକୁ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିବା ସହ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିବା ସହ ପ୍ୟାରିସ ଆଲମ୍ପିକ୍ସ ପାଇଁ ସିଧା ଏଣ୍ଟ୍ରି ଦେବାରେ ସହାୟକ ହୋଇଥିଲା । ସେହିପରି ମହିଳା ହକି ଟିମ ବି ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏ ହେଉଛି ନବୀନଙ୍କ ବିଶ୍ବାସ ଯାହା ବିକାଶର ବିଶ୍ବାସ ଆଣି ପାରିଛି । ଯେଉଁଥି ପାଇଁ ତାଙ୍କ ଜନ୍ମଦିନକୁ ବିକାଶ ଓ ସେବାର ପର୍ବ ଭାବେ ପାଳୁଛନ୍ତି ଲୋକେ ।