ମମତାଙ୍କୁ ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read
Naveen Patnaik

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ । ମମତାଙ୍କୁ ଆକ୍ରମଣ ଘଟଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଅଖିଳେଶ ୟାଦବ, ତେଜସ୍ୱୀ ଯାଦବ ପ୍ରମୁଖ ନିନ୍ଦା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଖିଳେଶ । ହେଲେ ସହାନୁଭୂତି ପାଇବା ଆଶାରେ ମମତା ଡ୍ରାମା କରୁଛନ୍ତି ବୋଲି କହିଛି ବିଜେପି ।

ସେପଟେ ପଶ୍ଚିମବଙ୍ଗରେ ଚରମ ସୀମାରେ ପହଞ୍ଚିଛି ରାଜନୀତି ତାତି । ନନ୍ଦିଗ୍ରାମରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ କରାଯିବା ଘଟଣା ରାଜନୀତିକୁ ଆହୁରି ସରଗରମ କରିଛି । ଏହା ଭିତରେ ମମତାଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତୁରନ୍ତ ତଦନ୍ତ କରି ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ନନ୍ଦିଗ୍ରାମ ଡିଏମ୍ ଓ ଏସ୍‌ପି ଘଟଣାର ପ୍ରତ୍ୟେକ୍ଷଦର୍ଶୀଙ୍କୁ ଭେଟି ପଚରାଉଚରା ଚଳାଇଛନ୍ତି ।

ବୁଧବାର ନନ୍ଦିଗ୍ରାମରେ ଆକ୍ରମଣ ଘଟଣା ପରେ ମମତା ଆହତ ହୋଇ SSKM ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଗୋଡ଼, କାନ୍ଧ, ବେକରେ ଗଭୀର ଆଘାତ ଲାଗିଛି । ମମତା ମେଡିକାଲରେ ଭର୍ତ୍ତି ହୋଇଥିବାରୁ ଦଳୀୟ ଇସ୍ତାହାର ଉନ୍ମୋଚନ ସ୍ଥଗିତ କରିଛି ଟିଏମ୍‌ସି । ଆଜି ଦଳ ପକ୍ଷରୁ ଇସ୍ତାହାର ରିଲିଜ୍ ହେବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ମମତା ଅସୁସ୍ଥ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଅନ୍ୟକୌଣସି ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନ ଥିବା ବେଳେ ମମତା ସୁସ୍ଥ ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

ଅନ୍ୟପଟେ SSKM ହସ୍ପିଟାଲ ବାହାରେ ଟିଏମସି ସମର୍ଥକମାନେ ନାବାରାଜି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଆକ୍ରମଣ ସମୟରେ ନନ୍ଦିଗ୍ରାମର ବାରୁଲିଆ ବଜାରରେ ସ୍ଥାନୀୟ ପୋଲିସ ଅଧିକାରୀ ନଥିବା ଅଭିଯୋଗ କରିଛନ୍ତି ମମତା ।

Leave a Reply