ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

କଟକ: ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାର ଲୋକଙ୍କୁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ। ଏଥିସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ୯ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରବଳ କୁହୁଡି ଯୋଗୁଁ ଟ୍ରକ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ରାଜକନିକାର ନଳିନୀକାନ୍ତ ଗାହାଣ, ଆଳିର ଅନୂସୟା ବାରିକ । ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣାରେ ଦୁଇ ଗାଡିର ଡ୍ରାଇଭରଙ୍କର ଅବସ୍ଥା ଗୁରୁତର ରହିଛି ।

ଦୁଇ ଡ୍ରାଇଭର ଏବେ ବି ଗାଡିରେ ଫସି ରହିଛନ୍ତି । କଟର ମେସିନ୍ ସହାୟତାରେ ସେମାନଙ୍କୁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି । ଆହତ ଓ ଗୁରୁତରଙ୍କ ମଧ୍ୟରୁ ୪ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।