ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଆହ୍ବାନ

ଭୁବନେଶ୍ୱର : ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୩ ପାଳନ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବିଦା କରିଛନ୍ତି ।  ଦୁର୍ନୀତି ପାଇଁ କିଛି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୋ ସରକାର ଜରିଆରେ ଲୋକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ  । ସାରା ଦେଶରେ ଓଡ଼ିଶା ଭିଜିଲାନ୍ସ ୧ ନମ୍ବର ସ୍ଥାନରେ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ୱନ୍ତ ଜେଠଓ୍ୱା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି । ବହୁ ଦୁର୍ନୀତି ମାମଲାର ପର୍ଦ୍ଦାଫାସ୍‌ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୭୭ପ୍ରତିଶତ ସଫଳତା ମିଳିଛି । ସବୁ ଭିଜିଲାନ୍ସ କୋର୍ଟକୁ ଡିଜିଟାଇଜେସନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱକୁ ପ୍ରଶଂସା କରିଥିଲେ ଭିଜିଲାନ୍ସ ଡିଜି । କହିଥିଲେ,  ଦୁର୍ନୀତି ହେଉଛି କର୍କଟ ସଦୃଶ । ଏହାର ସଫଳ ଚିକିତ୍ସା ଦରକାର । ନୂଆ ଓଡ଼ିଶା ସ୍ୱପ୍ନକୁ ସଫଳ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ କାମ କରିବ  । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ,  ଦୁର୍ନୀତି ବିରୋଧରେ ଓଡ଼ିଶା ସରକାର ଲଢ଼େଇ ଜାରି ରଖିଛନ୍ତି  । ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସର କାମ ପ୍ରଶଂସନୀୟ । ଏହି ଅବସରରେ କମ୍ପ୍ୟୁଟର ବେସଡ ତଦନ୍ତର ଶୁଭାରମ୍ଭ  ହୋଇଛି । ରାଉରକେଲା ଓ ବାଲେଶ୍ୱର ଭିଜିଲାନ୍ସ ଅଫିସ ଲୋକାର୍ପଣ ସହିତ କଟକ ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ ଭାବେ ସମ୍ମାନିତ କରାଯାଇଛି ।