କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଦାବି, ବୃଦ୍ଧି କର କୋଇଲା ରୟାଲଟି

ଭୁବନେଶ୍ୱର: କୋଇଲା ରୟାଲଟି ବୃଦ୍ଧି ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ଖଣି ସଂସ୍କାର ପ୍ରସଙ୍ଗ ଉଠାଇଛନ୍ତି । ଏଥିରେ କୋଇଲା ରୟାଲଟି ବୃଦ୍ଧି ନେଇ ପୁଣି ଥରେ ଦାବି କରିଛନ୍ତି ନବୀନ । ଏଥିପାଇଁ ୨୦୧୭ରୁ ରୟାଲଟି ସଂଶୋଧନ ଦାବି କରି ଆସୁଛି ଓଡ଼ିଶା । ୨୦୧୭ ସେପ୍ଟେମ୍ବରରୁ କୋଇଲା ରୟାଲଟି ସଂଶୋଧନ ହୋଇନି । ଅନ୍ୟପଟେ କ୍ଲିନ ଏନର୍ଜୀ ସେସ୍ ବହୁଗୁଣ ହୋଇଛି । ଏହାଦ୍ୱାରା ଓଡ଼ିଶା ବିଶେଷ ଲାଭବାନ ହେଉନାହିଁ । ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶିଳ୍ପାନୁଷ୍ଠାନକୁ ବିନା ବାଧାରେ ଖଣିଜ ଦ୍ରବ୍ୟ ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ନିଯୁକ୍ତି ଓ ରାଜ୍ୟ ରାଜସ୍ୱ ଆଦାୟ ସୁରକ୍ଷିତ ରହିବ । କୋଇଲା ଖଣି ଅକସନ ଓ ଖଣି ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି । କୋଇଲା ବ୍ଲକର ଅକସନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥିବାବେଳେ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନରେ ସମସ୍ୟା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଶିଳ୍ପାନୁଷ୍ଠାନଗୁଡ଼ିକ ପ୍ରଭାବିତ ହେଉଛନ୍ତି ଏବଂ ଖଣିଜ ସମ୍ପଦର ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି । ଏଥିପାଇଁ ସ୍ପଞ୍ଜ ଆଇରନ ଓ ଏମଏସଏମଇ କ୍ଷେତ୍ର ବ୍ୟାପକ ଭାବେ ପ୍ରଭାବିତ ହେଉଛି ।

ରାଜ୍ୟର ନିଯୁକ୍ତି ଓ ରାଜସ୍ୱ ଆଦାୟ କ୍ଷତିଗ୍ରସ୍ତ ହେଉଛି ବୋଲି ଜଣାଇଛନ୍ତି ନବୀନ । ଏଦିଗରେ ରାଜ୍ୟ ଓ କେନ୍ଦ୍ରୀୟ ଉଦ୍ୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ନବୀନ ପରାମର୍ଶ ଦେଇଛନ୍ତି । ଶିଳ୍ପାନୁଷ୍ଠାନ ନିକଟରେ ଖଣିଜ ସମ୍ପଦ ପହଞ୍ଚାଇବାର ମଧ୍ୟ ଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଖଣି ବ୍ୟବସାୟରେ ସରକାରୀ ଉଦ୍ୟୋଗର ସମ୍ପୃକ୍ତି ଦରବୃଦ୍ଧିକୁ ନିୟନ୍ତ୍ରଣ କରିବ । ଏମଏସଏମଇ କ୍ଷେତ୍ରଗୁଡ଼ିକ ଏହାଦ୍ୱାରା ଉପକୃତ ହେବେ । ଅବଧି ସରିଥିବା କିଛି ଖଣିର ସଂରକ୍ଷଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଓଏମସିକୁ ଏହି ଖଣି ପ୍ରଦାନ କରିବାକୁ ପ୍ରସ୍ତାବ ସହ ଖଣିକ୍ଷେତ୍ରରେ ଅଧିକ ସଂସ୍କାର ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply