ବିରୋଧୀ ଦଳ ନେତାଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ଓ ଅନୁରାଗ, ଦେଖା କରିବାକୁ ଗଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହିତ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ନବୀନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଏପରିକି ନବୀନ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଠାଇ ତାଙ୍କର ଚିକିତ୍ସା ସମ୍ପର୍କରେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିକାଶପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବର ବିରୋଧୀ ଦଳ ନେତା । ଏବେ ବି ତାଙ୍କ ପ୍ରତି ରହିଛି କୋଟି କୋଟି ରାଜ୍ୟବାସୀଙ୍କ ଶ୍ରଦ୍ଧା ଓ ଆଶୀର୍ବାଦ । କେମିତି ଅଛି ତାଙ୍କର ସ୍ବାସ୍ଥ୍ୟାବସ୍ଥା ? ନବୀନଙ୍କୁ ଦେଖା କରିବାକୁ ନବୀନ ନିବାସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିହାଇଡ୍ରେସନ୍ ଜନିତ ଅସୁସ୍ଥତା ଯୋଗୁଁ କିଛିଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ବୁଧବାର ସେ ନବୀନ ନିବାସ ଫେରିଛନ୍ତି । ନବୀନ ନିବାସରେ ଏକାଠି ଦେଖିବାକୁ ମିଳିଥିଲା ରାଜ୍ୟର ଦୁଇ ମୁଖିଆଙ୍କୁ । ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଖରେ ବସି ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଆଉ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏବେ ନିଜେ ସୁସ୍ଥ ଅନୁଭବ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା । ଖାଲି ସେତିକି ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନବୀନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ ପଚାରିଥିଲେ । ଉଭୟଙ୍କ ଭିତରେ ସାକ୍ଷାତ ଆଲୋଚନା ବେଳେ ଆଗାମୀ ବିଧାନସଭାର ମୌସୁମୀ ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ ସେ ନେଇ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସହଯୋଗ କାମନା କରିଛନ୍ତି । ନବୀନଙ୍କ ଅସୁସ୍ଥ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସମ୍ ହସ୍ପିଟାଲ ପଠାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ନେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ବ୍ୟତୀତ ନବୀନ ହସ୍ପିଟାଲରେ ଥିବାବେଳେ ପ୍ରଧାନମନ୍ତ୍ରୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଫୋନ ଯୋଗେ କଥା ହୋଇଥିଲେ ।
ପିସିସି ସଭାପତି ଭକ୍ତ ଦାସ ବି ଡାକ୍ତରଙ୍କ ସହ ନବୀନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ । ନବୀନଙ୍କ ପାଇଁ ଏତେ ଭଲ ପାଇବା ଗୋଟାଏ ରାତିର ନୁହେଁ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦେଇଥିବା ଏହି ସାଧକଙ୍କୁ ସମସ୍ତେ ଭଲ ପାଆନ୍ତି । ସମସ୍ତେ ଏ କଥା ବି ଜାଣନ୍ତି ଯେ, ରାଜନୈତିକ ବୟାନବାଜି ଯାହା ବି ହେଉ, ନବୀନ ହେଉଛନ୍ତି ରାଜନୀତିଠାରୁ ଊର୍ଦ୍ଧ୍ବରେ । ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ନବୀନଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ସମସ୍ତେ ଅନୁଭବ କରିଛନ୍ତି ।
କ୍ଷମତାରେ ଥିବାବେଳେ ନବୀନ ରାଜ୍ୟର ସବୁ ବର୍ଗର ଲୋକଙ୍କ ସମବିକାଶକୁ ଗୁରୁତ୍ବ ଦେଇଛନ୍ତି । ଜୀବନଶୈଳୀରେ ସାଧାସିଧା ଓ ଭଲ ମଣିଷ ହେବାର ଦିଗଦର୍ଶନ ତାଙ୍କ ନେତା ଓ କର୍ମୀଙ୍କୁ ଦେଇଆସିଛନ୍ତି । ସେ କେବଳ ବିଜୁ ଜନତା ଦଳରେ ସୀମିତ ହୋଇ ରହି ନାହାନ୍ତି । ତାଙ୍କ ବ୍ୟକ୍ତିତ୍ବ ଏପରି ଯେ ସମସ୍ତେ ନବୀନଙ୍କ ଦୀର୍ଘାୟୁ କାମନା କରିଛନ୍ତି । ହସ୍ପିଟାଲ ଶଯ୍ୟାରେ ରହି ଏକ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛୁଙ୍କୁ ନବୀନ ନିବାସକୁ ସ୍ବାଗତ ଜଣାଇଥିଲେ ନବୀନ । ଦଳମତ ନିର୍ବିଶେଷରେ ନେତାମାନେ ତାଙ୍କୁ ଭେଟିବାକୁ ସୁଯୋଗ ଖୋଜୁଥିବା ନେଇ ପୂର୍ବତନ ପିସିସି ସଭାପତି ଆଗ୍ରହ ଦେଖାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଠିଆ ହେଉଥିଲେ । କୋଭିଡ ସମୟରେ ତାଙ୍କର ଅବଦାନକୁ ଜାତୀୟ ସ୍ତରରେ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ପ୍ରଶଂସା କରାଯାଇଛି । ଦୁର୍ବିପାକ ହେଉ କି ମହାମାରୀ ଜଣେ ବି କାହାର ଜୀବନ ଯେପରି ଯିବନି ସେ ନେଇ ନିଜ ପ୍ରଶାସନକୁ ଦେଇଥିଲେ ନିର୍ଦ୍ଦେଶ । ଓଡ଼ିଶା ମୋ ପରିବାର ନାରା ଦେଇ ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ଦୀର୍ଘ ଦିନଧରି କାମ କରିଛନ୍ତି । ଯାହା ଲୋକଙ୍କ ପାଖରେ ନିଜର କରି ରଖିପାରିଛି ।