୪୮ ଘଣ୍ଟା ପରେ ହ୍ୱିଲ୍‌ ଚେୟାରରେ ମେଡିକାଲରୁ ବାହାରିଲେ ମମତା, ୭ ଦିନ ପରେ ପୁଣି ପରୀକ୍ଷା

1 min read
Mamata Banarjee

କୋଲକାତା: ଆଉ ମେଡିକାଲରେ ରହିପାରିଲେନି ମମତା । ମୁଣ୍ଡ ଉପରେ ନିର୍ବାଚନ ଚଡ଼କ, କେମିତି ବା ରହିଥାନ୍ତେ ମେଡିକାଲରେ । ୪୮ ଘଣ୍ଟାର ବେଡ୍‌ ରେଷ୍ଟ ପରେ ଡାକ୍ତରଙ୍କ ପରାମର୍ଶ ନେଇ ମମତା ହ୍ୱିଲ୍‌ ଚେୟାରରେ ବାହାରିଲେ ମେଡିକାଲରୁ । ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ଓ ପ୍ରଚାର ସାରି ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ମମତାଙ୍କ ଗୋଡ଼ ଓ କାନ୍ଧରେ ଆଘାତ ଲାଗିଥିଲା । ଏହାପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏବେ ସେ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । କୋଲକାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ସେ ଚିକିତ୍ସିତ ହେଉଥିଲେ । ହସ୍ପିଟାଲ ବାହାରେ ମମତାଙ୍କୁ ଶତାଧିକ ଲୋକ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ । ତେବେ ମମତାଙ୍କ ଗୋଡ଼ରେ ଏବେ ବି ପ୍ଲାଷ୍ଟର ରହିଛି । ସେ ଏବେ କିଛି ସମୟ ପାଇଁ ହ୍ୱିଲ୍‌ ଚେୟାରରେ ବସି କାମ କରିବେ । ଗୋଡ଼ ଉପରେ ଅଧିକ ଚାପ ନପକାଇବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ବୁଧବାର ମମତାଙ୍କୁ ଆକ୍ରମଣ ହୋଇଥିବା ବେଳେ ଗୁରୁବାର ସେ ହସ୍ପିଟାଲରେ ଥାଇ ଏକ ଭିଡିଓ ବାର୍ତ୍ତା ଦେଇଥିଲେ, ଯେଉଁଥିରେ ସେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଖାଲି ସେତିକି ନୁହେଁ ସେ ସ୍ଥାନୀୟ ପୋଲିସି ଉପରେ ମଧ୍ୟ ବର୍ଷିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଆକ୍ରମଣ ସମୟରେ ସ୍ଥାନୀୟ ପୋଲିସ ତାଙ୍କ ପାଖରେ ନଥିଲା । ଭିଡିଓରେ ସେ ଆହୁରି କହିଛନ୍ତି ଯେ, ନନ୍ଦିଗ୍ରାମରେ ହୋଇଥିବା ଆକ୍ରମଣ ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି । ଯେଉଁ କାରଣରୁ ହାତ ଓ ଗୋଡ଼ରେ ଯନ୍ତ୍ରଣା ହେଉଛି । ମୁଣ୍ଡ ବିନ୍ଧା ବି ହେଉଛି । ହସ୍ପିଟାଲରୁ ବାହାରିଲେ ହୁଇଲ ଚେୟାରରେ ବସି ନିର୍ବାଚନ ପ୍ରଚାର କରିବେ।

ଡାକ୍ତରଙ୍କ କହିବାନୁଯାୟୀ ମମତା ବାରମ୍ବାର ଡିସ୍‌ଚାର୍ଜ ହେବା ପାଇଁ ଅନୁରୋଧ କଲେ । ତେଣୁ ତାଙ୍କୁ ଉପଯୁକ୍ତ ନିର୍ଦ୍ଦେଶାବଳି ଦିଆଯିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି । ସେ ଆଗାମୀ ୭ ଦିନ ପରେ ପୁଣି ଚେକ୍ଅପ୍‌ ହେବେ । ‌

Leave a Reply